ଭୁବନେଶ୍ୱର: ରାଜଧାନୀରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମହଙ୍ଗା ପଡ଼ିଛି । ରାଜ୍ୟ ସରକାର ଆଜି ତାଙ୍କୁ ପଦରୁ ହଟାଇ ଦେଇଛନ୍ତି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ୧୯୯୫ ବ୍ୟାଚ୍ ଆଇପିଏସ୍ ସୌମେନ୍ଦ୍ର ଜଣେ ଦକ୍ଷ ଅଫିସର ଭାବେ ଜଣାଶୁଣା । କ୍ରାଇମବ୍ରାଞ୍ଚର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ(ଏଡିଜି) ଭାବେ ବର୍ତ୍ତମାନ ସେ କାର୍ଯ୍ୟ କରୁଛନ୍ତି ।
ସୂଚନାଯୋଗ୍ୟ ଯେ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବିଗିଡ଼ି ଚାଲିଛି । ଚୋରି, ଲୁଟତରାଜ ଏକ ସାଧାରଣ ଘଟଣା ହୋଇଯାଇଛି । ଦୁଇଦିନ ତଳେ ଦିନ ଦ୍ୱିପ୍ରହରେ ସିଆରପି ଛକରେ ଚଳନ୍ତା ଗାଡ଼ିରେ ଜଣଙ୍କୁ ମର୍ଡର ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା । ୨୨ ବର୍ଷ ପରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିବା ଘଟଣା କମିଶନରଙ୍କ ପାଇଁ ବାହାଦୁରି ଆଣିଥିଲେ ମଧ୍ୟ ରାଜଧାନୀରେ ବଢ଼ି ଚାଲିଥିବା ଅପରାଧକୁ ରୋକିବାରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । କେବଳ ଟୁଇଟର୍ ରେ ସେ ନିଜର ଅପରାଧ ଦମନ ଅଭିଯାନ ସୀମିତ ରଖୁଥିବା ଚର୍ଚ୍ଚା ହେଉଥିଲା ।
ବିଦାୟୀ କମିଶନର ୧୯୯୦ ବ୍ୟାଚ୍ ର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ତାଙ୍କର ପୂର୍ବସ୍ଥାନକୁ ଫେରାଇ ନେଇଛନ୍ତି ସରକାର । ପୁଲିସ କମିଶନର ଦାୟିତ୍ୱ ନେବା ପୂର୍ବରୁ ସେ ପୁଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଥିଲେ । ଏବେ ସେହି ପଦ ପୁଣି ସମ୍ଭାଳିବେ ।
ପୁଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ପଦରେ ଥିବା ୧୯୮୮ ବ୍ୟାଚ୍ ଆଇପିଏସ୍ ଏମ.ଅକ୍ଷୟ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ବଦଳି ହୋଇଛନ୍ତି ।
ଆଜି ସଂଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି ।