ଭୁବନେଶ୍ୱର: ଆଜି ଆନ୍ତର୍ଜାତିକ ମହିଳା ଦିବସ । ଠିକ୍ ୨୦ ବର୍ଷ ତଳେ ଏହି ଦିବସରେ ରାଜ୍ୟବାସୀଙ୍କୁ ‘ମିଶନ ଶକ୍ତି’ ର ଉପହାର ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ସଫଳତାରେ ବେଶ୍ ଖୁସି । ଖୁବଶୀଘ୍ର ଏହା ୧ କୋଟି ମହିଳାଙ୍କର ବିରାଟ ଆନ୍ଦୋଳନରେ ପରିଣତ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଓଡ଼ିଶାର ଘରେ ଘରେ ସଶକ୍ତ ଓଡ଼ିଶାର ବାର୍ତ୍ତା ଏହି ମିଶନ ଶକ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଜି ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂରେ ଯୋଡି ହୋଇ ନିଜର ବକ୍ତବ୍ୟ ରଖିଥିଲେ । କହିଥିଲେ, ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଚାରା ଆଜି ଗୋଟେ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା ମାନଙ୍କ ପାଇଁ ଆଶାର ବୃକ୍ଷ ପାଲଟିଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି ।
ମିଶନ ଶକ୍ତି ଆଜି ଏକ ବିରାଟ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଗାଁ ଅର୍ଥନୀତିକୁ ଚଳଚଞ୍ଚଳ କରିପାରିଛି । ମିଶନ ଶକ୍ତି କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ସବୁଠାରୁ ବଡ଼ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମା ମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟର ଅବତାରଣା କରିଥିଲେ । ବିଶେଷକରି କୋଭିଡ୍ ର କଠିନ ସମୟରେ କୋଭିଡ୍ ମୁକାବିଲାରେ ସେମାନଙ୍କର ଅଗ୍ରଣୀ ଭୂମିକାକୁ ପ୍ରଶଂସା କରି ଧନ୍ୟବାଦ ଦେଇଥିଲେ ।
ଯେଉଁ ଦେଶରେ ମା ମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ । ରାଜ୍ୟ ସରକାର ସବୁବେଳେ ମିଶନ ଶକ୍ତି ମା ମାନଙ୍କ ପାଇଁ ନିଷ୍ଠାର ସହ କାମ କରୁଛନ୍ତି । ସେମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି ଏବଂ ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ୱାସକୁ ବୃଦ୍ଧି କରିଛନ୍ତି । ମା ମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ ମହିଳା ମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ଦକ୍ଷତା କୁ ଉପଯୋଗ କରି ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁଁ ଆଜି ଓଡିଶା ମହିଳା ବିକାଶ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିପାରିଛି । ମିଶନ ଶକ୍ତି ମା ମାନଙ୍କୁ ନୂଆ ପରିଚୟ ଦେଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇ କହିଥିଲେ ରାଜ୍ୟ ସରକାର ମହିଳା ମାନଙ୍କୁ ହିତାଧିକାରୀ ନୁହେଁ ବରଂ ବିକାଶର ସହ ଭାଗୀଦାର ବୋଲି ମନେ କରନ୍ତି । ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର କେବଳ ଗୋଟିଏ ଦିନ ନୁହେଁ ବରଂ ପୁରା ୩୬୫ ଦିନ ସମର୍ପିତ ହୋଇ କାମ କରୁଛନ୍ତି ।
ମିଶନ ଶକ୍ତିର କମିଶନର ତଥା ନିର୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ୨୦୦୧ ରେ ମିଶନ ଶକ୍ତି ଏକ ଯୋଜନା ହୋଇ ଆରମ୍ଭ ହୋଇଥିଲା, ଆଜି ଏହା ଏକ ସ୍ଵତନ୍ତ୍ର ବିଭାଗ ହୋଇଛି । ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା ମାନଙ୍କ ପାଇଁ ଯେଉଁ ୫ ହଜାର କୋଟି ଟଙ୍କା ଘୋଷଣା କରିଥିଲେ ଆଜି ମା ମାନେ ୨୫୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ ଆରମ୍ଭ କରି ସାରିଛନ୍ତି । ମା ମାନଙ୍କ ପାଇଁ ୩୨୦୦ କୋଟି ଟଙ୍କାର ଋଣ ଲକ୍ଷ୍ୟ ଥିଲାବେଳେ ବର୍ତ୍ତମାନ ସୁଧା ୪୦୦୦ କୋଟି ଟଙ୍କାରୁ ଅଧିକ ଋଣ ମିଳିପାରିଛି ।
କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତିର କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇଟି ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ଝାରସୁଗୁଡା , ଯାଜପୁର ଓ ଭୁବନେଶ୍ବରରେ ତିନୋଟି କର୍ମଜୀବି ମହିଳା ହଷ୍ଟେଲ ଉଦଘାଟିତ ହୋଇଥିଲା । ହଷ୍ଟେଲ ପରିଚାଳନା, ସ୍ଵଧାର ଓ ଉଜ୍ଜ୍ଵଳ ଆଦି ଯୋଜନା ପାଇଁ ନୂଆ ପୋର୍ଟାଲ, ମିଶନ ଶକ୍ତି ୱେବସାଇଟ , ମୋବାଇଲ ଆପ ଓ ବ୍ଯାଙ୍କ ମାନଙ୍କ ଋଣ ପ୍ରଦାନ ସମ୍ପର୍କରେ ଏକ ସ୍ଵତନ୍ତ୍ର ପୋର୍ଟାଲ ଉନ୍ମୋଚିତ ହୋଇଥିଲା । ଡାଆଣି କୁପ୍ରଥାର (Witch Hunting) ବିଲୋପ ପାଇଁ IEC Package ମଧ୍ୟ ଉନ୍ମୋଚିତ ହୋଇଥିଲା ।
ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା , ସ୍ଵୟଂ ସହାୟକ ଗୋଷ୍ଠୀ, ଅଧିକାରୀ ଓ ବ୍ୟାଙ୍କ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ଉପଦେଷ୍ଟା, ରାଜ୍ୟ ମହିଳା କମିଶନ ର ଅଧ୍ୟକ୍ଷା, ରାଜ୍ୟ ଶିଶୁ ସୁରକ୍ଷା କମିଶନ ର ଅଧ୍ୟକ୍ଷା, ଓଡିଶା ଶିଶୁ କଲ୍ୟାଣ ପରିଷଦର ସଦସ୍ୟା ସଚିବ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ତିଆନ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।