ଭୁବନେଶ୍ୱର: ବିଜେଡି ଭାଙ୍ଗିବାକୁ ୬ ମାସ ପୂର୍ବରୁ ହୋଇଥିବା ଷଡ଼ଯନ୍ତ୍ରର ଦ୍ୱିତୀୟ ଟ୍ରେଲର୍ ଆସନ୍ତା ୧୭ ତାରିଖରେ ଦେଖିବାକୁ ମିଳିବ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ତଥାକଥିତ ବିଜୁ ଲିଗାସୀ ନେତା ଓ କର୍ମୀଙ୍କ ବିରାଟ ସମାବେଶର ଆୟୋଜନ କରାଯାଇଛି । ଭୁବନେଶ୍ୱର ଓୟୁଏଟିସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ହେୁଥିବା ଏହି ସମାବେଶରେ ସାରା ରାଜ୍ୟରୁ ବିଜୁ ପ୍ରେମୀଙ୍କୁ ଏକାଠି କରିବାକୁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ନେତୃତ୍ୱରେ ଯୋଜନା ହୋଇଛି । ବିଜୁ ବାବୁଙ୍କ ନାଁରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳକୁ ଛାରଖାର କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଛି ।
ବିଜୟ-ଦିଲ୍ଲୀପଙ୍କ ନେତୃତ୍ୱରେ ବିଜୁ ଲିଗାସୀ ଆଗକୁ ନେବାକୁ ଏକାଠି ହୋଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ପ୍ରଭାତ ତ୍ରିପାଠୀ, ଅମର ଶତପଥୀ, ରବି ପାଣି ଏବଂ ସୌମ୍ୟ ରଂଜନ ପଟ୍ଟନାୟକ । ବୁଦ୍ଧିଜୀବୀ ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ମଧ୍ୟ ସେଥିରେ ସାମିଲ ଅଛନ୍ତି । ଆଜି ଆଇଆରସି ଭିଲେଜସ୍ଥିତ ବିଜୟ ମହାପାତ୍ରଙ୍କ ଘରେ ଏହି ନେତାମାନେ ଏକାଠି ହୋଇ ଏପ୍ରିଲ୍ ୧୭ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ନେତା ଓ କର୍ମୀ ଯୋଗାଡ଼ ପାଇଁ ଏହା ଥିଲା ପ୍ରସ୍ତୁତି ବୈଠକ । ନବୀନ ବିଜେଡିକୁ ଭାଙ୍ଗି ଏକ ନୂଆ ଶକ୍ତି ଗଠନର ଏହା ମୂଳଦୁଆ ବୋଲି ଚର୍ଚ୍ଚା କରାଯାଉଛି । ଏହି ଲକ୍ଷ୍ୟରେ ପହଞ୍ଚିବା ସହଜ ବୋଲି ସେମାନଙ୍କର ଅନୁଭବ ହୋଇଛି ।
ତଥାକଥିତ ବିଜୁ ଲିଗାସୀ ନେତୃମଣ୍ଡଳୀଙ୍କ ମଧ୍ୟରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆର୍ବିଭାବକୁ ନେଇ ବିଭିନ୍ନ ମହଲରେ ରୋଚକ ଆଲୋଚନା ହେଉଛି । ସମସ୍ତେ ଜାଣନ୍ତି ଯେ ସୌମ୍ୟ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ(ଜେବି) ପଟ୍ଟନାୟକଙ୍କ ଜ୍ୱାଇଁ । ଜେବି ଛୋଟିଆ ଲୋକ ନୁହଁନ୍ତି । ଦୀର୍ଘ ୧୫ ବର୍ଷର ମୁଖ୍ୟମନ୍ତ୍ରୀ । ତାଙ୍କର ବି ଗୋଟିଏ ସ୍ୱତନ୍ତ୍ର ଲିଗାସୀ ଅଛି । କାରଣ ଓଡ଼ିଶା ପାଇଁ ତାଙ୍କର ଅବଦାନକୁ କେହି ଅସ୍ୱୀକାର କରିପାରିବେନି । ତାଙ୍କର ଆଶୀର୍ବାଦରେ ଜ୍ୱାଇଁ ସୌମ୍ୟ ପଟ୍ଟନାୟକ ମିଡିଆ କ୍ଷେତ୍ରରେ ପ୍ରତିଷ୍ଠା ପାଇଛନ୍ତି । ସୁତରାଂ ଜେବି ଲିଗାସୀକୁ ବଞ୍ଚାଇ ରଖିବାର ଦାୟିତ୍ୱ ସୌମ୍ୟ ପଟ୍ଟନାୟକଙ୍କର ହେବା କଥା । ମାତ୍ର ତାହା ସେ ରକ୍ଷା ନ କରି ବିଜୁ ଲିଗାସୀର ପ୍ରବକ୍ତା ହେବାକୁ ବସିଛନ୍ତି ।
ଏମିତିରେ ସୌମ୍ୟ ପଟ୍ଟନାୟକ ସାଂସଦ, ବିଧାୟକ ହୋଇଥିଲେ ମଧ୍ୟ ରାଜନୀତିରେ ତାଙ୍କୁ ବିଫଳ ବ୍ୟକ୍ତି ବୋଲି ବିବେଚନା କରାଯାଏ । ଦଳ ବଦଳରେ ତାଙ୍କର ରେକର୍ଡ ରହିଛି । ବିଜେପି, କଂଗ୍ରେସ, ଏନସିପିରେ ବିଫଳ ହେଲା ପରେ ନିଜର ଆଞ୍ଚଳିକ ଦଳ ‘ଆମ ଓଡ଼ିଶା ପାର୍ଟି’ ଗଠନ କରିଥିଲେ । କିନ୍ତୁ ସେଥିରେ ଚିତ୍ ପଟାଙ୍ଗ ମାରିଲେ । ୨୦ ବର୍ଷ ଧରି ଯେଉଁ ନବୀନ ପଟ୍ଟନାୟକଙ୍କର ଶ୍ରାଦ୍ଧ କରୁଥିଲେ ଶେଷରେ କ୍ଷମତା ପାଇଁ ତାଙ୍କର ଗୋଡ଼ ଧରିଥିଲେ । ଭାଷା ଆନ୍ଦୋଳନ, ଚାଷୀ ସଂଗଠନ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଛାଡ଼ି ରାତାରାତି ବିଜେଡିକୁ ଯାଇ ରାଜ୍ୟସଭା ଟିକେଟ୍ ନେଇଥିଲେ । ପୁଣି ବିଧାୟକ ହେବାକୁ ମନ ବଳାଇ ଖଣ୍ଡପଡ଼ାରୁ ଟିକେଟ୍ ନେଲେ । ବିଧାୟକ ହେଲା ପରେ ମନ୍ତ୍ରୀ ପଦ ନ ପାଇବାରୁ ପୁଣି ନବୀନ, ପାଣ୍ଡିଆନଙ୍କୁ ଗାଳି କଲେ । ଶେଷରେ ତାଙ୍କର ବିଜେଡି କ୍ୟାରିୟର୍ ଖତମ ହୋଇଗଲା ।
ଏବେ ବିଜୟ ମହାପାତ୍ର- ଦିଲ୍ଲୀପ ରାୟଙ୍କ ପାଖରେ ସମ୍ଭବତଃ ସେ ନିଜର ରାଜନୈତିକ ଭବିଷ୍ୟତ ଦେଖିଛନ୍ତି । ସେଥିପାଇଁ ବିଜୁ ଲିଗାସୀକୁ ଆପଣେଇଛନ୍ତି । ଆଗାମୀ ଦିନରେ ଏହା ତାଙ୍କୁ କେତେ ସଫଳତା ଦେବ ତାହା ଦେଖିବାର କଥା ।







