ଭୁୁବନେଶ୍ୱର: ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକମାନଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ୍ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଏହି ସହାୟତା ପ୍ରଦାନ କରିଛନ୍ତି । ଏପ୍ରିଲ୍ ରୁ ଜୁନ୍ ମାସ ପର୍ଯ୍ୟନ୍ତ ଏହି ତିନି ମାସ ମଧ୍ୟରେ କାମ କରିଥିବା ଶ୍ରମିକମାନଙ୍କୁ ସେମାନଙ୍କର ପ୍ରତ୍ୟେକ ଦିନର ମଜୁରି ସହିତ ଅତିରିକ୍ତ ୫୦ ଟଙ୍କା ପ୍ରଦାନ କରାଯାଇଛି । ଏହା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି । ଏହାଦ୍ୱାରା ପ୍ରତ୍ୟେକ ଶ୍ରମିକ ୪୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ମଜୁରି ପାଇଛନ୍ତି । ସମୁଦାୟ ୩୨ ଲକ୍ଷ ଶ୍ରମିକ ୩୫୨ କୋଟି ଟଙ୍କାର ସହାୟତା ପାଇଲେ ।
ସୂଚନାଯୋଗ୍ୟ, କୋଭିଡର ଦ୍ଵିତୀୟ ଲହରରେ ଗରିବ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ୧୬୯୦ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏଥିରେ ଶ୍ରମିକ ମାନଙ୍କ ପାଇଁ ୩୫୨ କୋଟି ଟଙ୍କାର ସହାୟତା ରହିଛି । ମନରେଗାରେ ଗତବର୍ଷ ୨୦ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୭ କୋଟି ଶ୍ରମ ଦିବସ ସୃଷ୍ଟି ହୋଇ ପାରିଛି ଏବଂ ବର୍ଷ ଶେଷ ସୁଧା ୨୫ କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଗରିବ ଲୋକଙ୍କ ପାଇଁ ମୋ ହୃଦୟରେ ସବୁବେଳେ ସ୍ଵତନ୍ତ୍ର ସ୍ଥାନ ରହିଛି । ଗରିବ ଲୋକଙ୍କ କାର୍ଯ୍ୟକ୍ରମ ମୋତେ ଅଧିକ ସନ୍ତୋଷ ଦେଇଥାଏ। ଆଜିର ଏହି ସହାୟତା ସେମାନଙ୍କ ପରିବାରର ଆର୍ଥିକ ଅସୁବିଧା ଦୂର କରିବାରେ ସାହାଯ୍ୟ କରିବ କରିବ ବୋଲି ଆଶା କରୁଛି । ଗରିବ ଲୋକଙ୍କ ପାଇଁ ଏହିପରି ଉଦ୍ୟମ ଜାରି ରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଜିଲ୍ଲାସ୍ତରରେ ଅଧିକ ଶ୍ରମଦିବସ ସୃଷ୍ଟି କରି ଗରିବ ଲୋକଙ୍କ ରୋଜଗାର ଦେବା ପାଇଁ କାମ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । କରୋନାର ଦ୍ଵିତୀୟ ଲହର ସମ୍ପୁର୍ଣ୍ଣ ଶେଷ ହୋଇନାହିଁ ବୋଲି ଦୋହରାଇ ସେ ସମସ୍ତଙ୍କୁ ଟୀକା ନେବାକୁ ଓ କୋଭିଡ ନିୟମ ମାନିବାକୁ ଅନୁରୋଧ କରିଥିଲେ।
ପଞ୍ଚାଯତରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରି, ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ରାଉରକେଲା ବିଧାୟକ ଶ୍ରୀ ସାରଦା ନାୟକ ପ୍ରମୁଖ ଭାଷଣ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୧୪ ଟି ବ୍ଲକର ମନରେଗା ଶ୍ରମିକ ମାନେ ଭିଡିଓ କନଫରେନ୍ସିଂ ଯୋଗେ ଯୋଡି ହୋଇଥିଲେ । ଗଞ୍ଜାମର ନିକି ଆମ୍ମା ଓ କୈଳାଶ ଗଉଡ , କୋରାପୁଟର ସୁରେଶ ବାଖିଆ, ତପନ କୁମାର ନାଗ , କଳାହାଣ୍ଡିର ସିତି ପୂଜାରୀ ଓ ଗଜ ମାଝି ଓ ମୟୂରଭଞ୍ଜରଶିବରାମ ସୋରେନ ଓ ସୁକାନ୍ତି ମୁର୍ମୁ ପ୍ରମୁଖ କେତେ ଜଣ ହିତାଧିକାରୀ ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର କୃତଜ୍ଞତା ପ୍ରକାଶ କରିଥିଲେ। ଏହି ସହାୟତା କୋଭିଡ ସମୟରେ ସେମାନଙ୍କୁ ବିଶେଷ ସାହାଯ୍ୟ କରିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି . କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଉନ୍ନୟନ କମିଶନର , କୃଷି ଉତ୍ପାଦନ କମିଶନର, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।