ଭୁବନେଶ୍ୱର: କଂଗ୍ରେସକୁ ଆଉ ଏକ ବଡ଼ ଝଟକା । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଖୁବ୍ ଶୀଘ୍ର ସେ ବିଜେଡିରେ ଯୋଗଦେବେ ବୋଲି ଜଣାପଡ଼ିଛି ।
୧୯୮୫ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଗଣେଶ୍ୱର ପ୍ରଥମ ଥର ବିଧାୟକ ହୋଇଥିଲେ । ୧୯୯୫ ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣିଥରେ ବିଧାୟକ ହୋଇ ଜାନକୀ ବାବୁଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ତତ୍କାଳୀନ ଜନତା ଦଳର ପ୍ରାର୍ଥୀ ସିପ୍ରା ମଲ୍ଲିକଙ୍କୁ ସେ ଏହି ନିର୍ବାଚନରେ ପରାସ୍ତ କରିଥିଲେ । ଏହାପରେ କିନ୍ତୁ ସବୁ ନିର୍ବାଚନରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ୨୦୦୦ ଏବଂ ୨୦୦୪ ରେ ସେ ପଟ୍ଟାମୁଣ୍ଡାଇରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲା ବେଳେ ପରବର୍ତ୍ତୀ ୩ ଟି ଯାକ ନିବାଚନରେ ସେ କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସର ବହୁତ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସେ କାର୍ଯ୍ୟ କରିଛନ୍ତି ।
କଂଗ୍ରେସ ଛାଡ଼ିବାର କାରଣ ସମ୍ପର୍କରେ ଶ୍ରୀ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ମୁଁ ଆଉ ନିର୍ବାଚନରେ ହାରିବାକୁ ଚାହୁଁନାହିଁ । କଂଗ୍ରେସରେ ରହି ବିଧାନସଭା ଯିବା ସମ୍ଭବ ନୁହେଁ । କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ ପୂରଣ କରିବାକୁ ହେଲେ କ୍ଷମତା ଦରକାର । କେଉଁ ଦଳରେ ଯୋଗଦେବେ ଶୀଘ୍ର ଜଣାଇବେ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ସେ ଖୁବ୍ ଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ତାଙ୍କ ସମର୍ଥକ ମହଲରୁ ସୂଚନା ମିଳିଛି । ବିଜେଡିରେ ଯୋଗଦେଇ କେନ୍ଦ୍ରାପଡ଼ା ଆସନରୁ ଲଢ଼ିବେ ବୋଲି ମଧ୍ୟ ଏହି ସୂତ୍ରରୁ ଖବର ମିଳିଛି ।
ସୂଚନାଯୋଗ୍ୟ, ଇତିମଧ୍ୟରେ ଅଧଡର୍ଜନରୁ ଅଧିକ ହେଭିୱେଟ୍ ନେତା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଲେଣି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ।






