ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତି ଆଉ ନାହାନ୍ତି । ଗୁରୁତର ଅସୁସ୍ଥ ହୋଇ ଏମସ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୭୩ ବର୍ଷ ହୋଇଥିଲା ।
ଶ୍ରୀ ମହାନ୍ତି କ୍ୟାନସରରେ ପୀଡ଼ିତ ହୋଇ ଜୀବନ ସହିତ ସଂଗ୍ରାମ କରୁଥିଲେ । ଦୀର୍ଘ ଦିନ ଧରି ବେଙ୍ଗାଲୁରୁରେ ଚିକିତ୍ସିତ ହେଉଥିଲେ । ଦୁଇ ସପ୍ତାହ ତଳେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏମସ୍ ରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି ।
ଅତି ସରଳ, ସାଧାସିଧା ଓ ବନ୍ଧୁବତ୍ସଳ ମଣିଷ ଥିଲେ ଅଜିତ ମହାନ୍ତି । ସାନମାନଙ୍କୁ ସବୁବେଳେ ସ୍ନେହ ଓ ଶ୍ରଦ୍ଧା କରୁଥିଲେ । ଧରିତ୍ରୀ ଓ ସମୟରେ ଦୀର୍ଘ ବର୍ଷ ସାମ୍ବାଦିକତା କରି ଅବସର ନେଇଥିଲେ । ପଢ଼ାପଢ଼ିରେ ତାଙ୍କର ପ୍ରବଳ ରୁଚି ଥିଲା । ଆଧ୍ୟାତ୍ମକ ପୁସ୍ତକ ପ୍ରତି ତାଙ୍କର ଅଧିକ ଦୁର୍ବଳତା ଥିଲା ।
ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଏମସରୁ ତାଙ୍କର ପାର୍ଥିବ ଶରୀର ୟୁନିଟ୍-୨ ସ୍ଥିତ ସରକାରୀ ବାସଭବନକୁ ଅଣାଯାଇଛି । ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।