ପୁରୀ: ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଉପସ୍ଥିତ ଥିଲେ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ଏହାର ବିସ୍ତୃତ ସୂଚନା ଦେଇଥିଲେ ।
ଶ୍ରୀମନ୍ଦିର ସେବାୟତ ପରିବାରକୁ ଘର: ଶ୍ରୀମନ୍ଦିର ସେବାୟତ ପରିବାରକୁ ଘର ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତ ପରିବାରକୁ ମିଳିବ ଘର । ୮ ଏକର ଜମିରେ ଏହି ଘର ନିର୍ମାଣ ହେବ । ସେବାୟତ ପରିବାର ପିଛା ୬୦୦ ବର୍ଗଫୁଟ ଜାଗା ଦିଆଯିବ । ଏଥିପାଇଁ ସେବାୟତଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯିବ । ଆବେଦନପତ୍ର ବିଚାରକୁ ନିଆଯାଇ ଘର ପାଇଁ ପ୍ଲଟ୍ ଦିଆଯିବ । ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ । ୨ ଲକ୍ଷ ସହ ସେବାୟତମାନେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ଘର ବଢ଼ାଇ ପାରିବେ ।
ଶ୍ରୀମନ୍ଦିର ଗୁରୁକୁଳ: ଆସନ୍ତା ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୁଳ । ଏଥିପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ ହେବ । ସୋସାଇଟିର ଅଧ୍ୟକ୍ଷ ରହିବେ ଗଜପତି । ବିଶିଷ୍ଟ ବ୍ୟକ୍ତିମାନେ ବି ରହିବେ । ମାଟିତୋଟାରେ ୧୭ ଏକର ଜମିରେ ଏହା ପ୍ରତିଷ୍ଠା ହେବ । ଏଥିପାଇଁ ଗୁରୁକୁଳ ପାଣ୍ଠି ଗଠନ ହେବ ।
ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷୀୟା ଯୋଜନା: ଶ୍ରୀମନ୍ଦିର ମରାମତି ପାଇଁ ଏଣିକି ୫ ବର୍ଷୀୟା ଯୋଜନା ହେବ । ୫ ବର୍ଷୀୟା ସଂରକ୍ଷଣ ନେଇ ଏଏସଆଇଠାରୁ ପ୍ଲାନ ଆହ୍ୱାନ କରାଯିବ । ସଂରକ୍ଷଣ ପ୍ରସଙ୍ଗରେ ଏଏସଆଇ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ ନିଷ୍ପତ୍ତି ନେବେ । ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ ।
ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ମାଗଣାରେ ରଥ ଚକ: ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ଏଣିକି ମାଗଣାରେ ମିଳିବ ରଥ ଚକ । ରଥଯାତ୍ରା ପରେ ଏହା ଦିଆଯିବ । ଏଥିପାଇଁ ଏକ ସବ କମିଟିକୁ ଦାୟିତ୍ୱ ଦିଆଯିବ । କେଉଁ ବ୍ୟକ୍ତି ବା ଅନୁଷ୍ଠାନକୁ ଚକ ଦିଆଯିବ କମିଟି ଚୟନ କରିବେ । ଅଧିକ ଆବେଦନକାରୀ ହେଲେ ଲଟେରୀ କରାଯିବ ।