ନୟାଗଡ଼/ଭୁବନେଶ୍ୱର: ବିଜେଡ଼ିର ବାହୁବଳୀ ନେତା ଗୟାଧର ପରିଡ଼ାଙ୍କ ଗିରଫ ଦାବିରେ ତାତିଛନ୍ତି ଦଳିତ-ଆଦିବାସୀ ସୁରକ୍ଷା ମଞ୍ଚ । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଶହ ଶହ ଦଳିତ ମହିଳା ଓ ପୁୁରୁଷ ନୟାଗଡ଼ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ଧାରଣାରେ ବସିଛନ୍ତି । ଗୟାଧର ଗିରଫ ନହେଲା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଧମକ ଦେଇଛନ୍ତି ।
ସୂଚନାଥାଉକି, ଜୁଲାଇ ୧୧ ତାରିଖରେ ଭାପୁର ଥାନାରେ ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ବ୍ଲକ୍ ଅଧ୍ୟକ୍ଷା ଶାନ୍ତିଲତା ବେହେରା । ଅଧ୍ୟକ୍ଷାଙ୍କ ସରକାରୀ କାର୍ଯ୍ୟାଳୟକୁ ଉପାଧ୍ୟକ୍ଷ ନିଜ ଦଖଲରେ ରଖିଛନ୍ତି ଏବଂ ତାଙ୍କୁ ଅଫିସ୍ ନ ଆସିବାକୁ ଧମକ ଦେଇଛନ୍ତି । ତାଙ୍କ ଦସ୍ତଖତ ଓ ଲେଟର୍ ପ୍ୟାଡ୍ କୁ ଜାଲ୍ କରି ୮୦ କୋଟି ଟଙ୍କାର ଫଲସ୍(ମିଥ୍ୟା) ବିଲ୍ କରାଇ ନେଇଛନ୍ତି । ଏହାର ପ୍ରତିବାଦ କରିବାରୁ ଉପାଧ୍ୟକ୍ଷ ଏବଂ ତାଙ୍କର ସହଯୋଗୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରି ହତ୍ୟା ଧମକ ଦେଉଥିବା ଶାନ୍ତିଲତାରେ ଏତଲାରେ ଦର୍ଶାଇଥିଲେ । ସ୍ଥାନୀୟ ବିଧାୟକ(ଖଣ୍ଡପଡ଼ା), ସାଂସଦ(କଟକ), ଜିଲ୍ଲାପାଳ, ଏସପି ସମସ୍ତଙ୍କୁ ଏତଲାର କପି ଦେଇ ନ୍ୟାୟ ଭିକ୍ଷା କରିଥିଲେ ।
ମାତ୍ର ବିଡ଼ମ୍ବନା ଯେ ଗୟାଧରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ବଦଳରେ ବିଧାୟକଙ୍କ ପ୍ରଚ୍ଛନ୍ନ ସହଯୋଗରେ ତାଙ୍କୁ ରାଜନୈତିକ ଷଡଯନ୍ତ୍ରର ସୁଯୋଗ ଦିଆଯାଇ ଅଧ୍ୟକ୍ଷାଙ୍କୁ ଅନାସ୍ଥା ପ୍ରସ୍ତାବରେ ହଟାଇ ଦିଆଯାଇଛି । ଇତିମଧ୍ୟରେ ଖୋଦ୍ ଉପଜିଲ୍ଲାପାଳ ତାଙ୍କ ତଦନ୍ତ ରିପୋର୍ଟରେ ଅଭିଯୋଗର ସତ୍ୟତା ପ୍ରମାଣିତ କରିଥିଲା ବେଳେ କାର୍ଯ୍ୟାନୁଷ୍ଠାନ କିନ୍ତୁ ନାହିଁ ।
ଅଧ୍ୟକ୍ଷା ପଦରୁ ବିତାଡ଼ିତା ଦଳିତ ମହିଳା ଶାନ୍ତିଲତାଙ୍କୁ ଆଗରେ ରଖି ତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି ଦଳିତ ଆଦିବାସୀ ମଞ୍ଚ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ ଙ୍କୁ ସମ୍ମାନ ଓ ଦଳିତ, ଆଦିବାସୀ ସଶକ୍ତିକରଣର ନାରା ଦେଉଥିବା ବେଳେ ଏତେ ବଡ଼ ଘଟଣା ଉପରେ ଚୁପ୍ କାହିଁକି ବୋଲି ସେମାନେ ପ୍ରଶ୍ନ କରିବା ସହ ଗୟାଧରଙ୍କୁ ଗିରଫ ନ କଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ଇତିମଧ୍ୟରେ ଗୟାଧରଙ୍କ ବିରୋଧରେ ଭାପୁର ବ୍ଲକ୍ ର ୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି । ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଆସିଥିବା ସାଢ଼େ ୪ ଲକ୍ଷ ଅନୁଦାନ ଅର୍ଥକୁ ମିଥ୍ୟା ବିଲ୍ ଜରିଆରେ ହଡ଼ପ କରିଥିବା ନେଇ ସେମାନେ ବିଭାଗୀୟ ସଚିବଙ୍କ ଦ୍ୱାରସ୍ଥ ହୋଇଥିଲେ । ସଚିବଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୩ ଜଣିଆ ପ୍ରତିନିଧି ଦଳ ଗତକାଲି ଏହାର ତଦନ୍ତ କରି ଫେରିଛନ୍ତି ।
ସୌମ୍ୟଙ୍କ ଇଲାକାରେ ତାଲିବାନୀ ଶାସନ !