ଭୁବନେଶ୍ୱର: ଚଳିତ ନିର୍ବାଚନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ କରିଥିଲା ବିଜେପି । ନିର୍ବାଚନରେ ଜିତି ସରକାର ଗଠନ କରିବା ପରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରତ୍ନଭଣ୍ଡାରର ରହସ୍ୟ ଉପରୁ ପରଦା ହଟାଇବାକୁ ଯାଉଛନ୍ତି ନବଗଠିତ ବିଜେପି ସରକାର । ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ । କୋର୍ କମିଟି, ଟେକ୍ନିକାଲ୍ କମିଟି ଉପସ୍ଥିତିରେ ଏହାକୁ ଖୋଲାଯିବ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ବୈଠକର ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ଏଏସଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ କହିଛନ୍ତି, ରତ୍ନଭଣ୍ଡାର ବାହାର ପାଶ୍ୱର୍ କାନ୍ଥ ଲେଜର ସ୍କାନିଂ କରାଯାଇଛି । ୨୦୧୮ ମସିହାରେ ଆସିଥିବା ରିପୋର୍ଟରେ ରତ୍ନଭଣ୍ଡାରର କିଛି ସ୍ଥାନରେ କ୍ରାକ୍ ତଥା ଭଙ୍ଗାରୁଜା ରହିଥିବା ଜଣାପଡ଼ିଥିଲା । ଲେଜର୍ ସ୍କାନିଂ ରିପୋର୍ଟରେ ବି ଏହା ସ୍ପଷ୍ଟ ହୋଇଛି । ଉକ୍ତ କ୍ରାକ୍ ଦେଇ ପାଣି ଭିତରକୁ ଯାଉଥିବ । ତେଣୁ ଆବଶ୍ୟକତା ଅନୁଯାୟୀ ତୁରନ୍ତ ଏହାର ମରାମତି କରାଯିବ ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଜଷ୍ଟିସ୍ ରଘୁବୀର ଦାସ କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ହାଇକୋର୍ଟଙ୍କୁ ରାଜ୍ୟ ସରକାର ଆଜି ଅବଗତ କରିଛନ୍ତି । ଆଗାମୀ କ୍ୟାବିନେଟ୍ ବୈଠକରେ ଏହାର ରିପୋର୍ଟ ଉପସ୍ଥାପନ କରାଯିବ । ୩ ସପ୍ତାହ ପରେ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।