ପୁରୀ: ପ୍ରତୀକ୍ଷାର ଅନ୍ତ ଘଟିଛି । ଦୀର୍ଘ ଦିନର ବ୍ୟବଧାନ ପରେ ଭକ୍ତଙ୍କ ପାଇଁ ଖୋଲିବ ମହାପ୍ରଭୁଙ୍କ ଦ୍ୱାର । ଆସନ୍ତା ୧୬ ତାରିଖ ସୋମବାର ଦିନ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଗଣମାଧ୍ୟମକୁ ଏହା ଜଣାଇଛନ୍ତି ।
ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ୧୬ ରୁ ୨୦ ତାରିଖ ୫ ଦିନ କେବଳ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ୨୧ ଏବଂ ୨୨ ତାରିଖ ସଟ ଡାଉନ୍ ଥିବାରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ମନା କରାଯାଇଛି । ୨୩ ତାରିଖରୁ ସର୍ବ ସାଧାରଣ ଦର୍ଶନ କରିପାରିବେ । ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ।
ଶ୍ରୀମନ୍ଦିର ପ୍ରବେଶ ପାଇଁ ଡବଲ୍ ଡୋଜ ଟିକା କିମ୍ବା ଆରଟି ପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ । ୯୬ ଘଣ୍ଟା ପୂର୍ବରୁ ଆରଟି ପିସିଆର ଟେଷ୍ଟ ରିପୋର୍ଟ ଥିବା ଜରୁରୀ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।