ଭୁବନେଶ୍ୱର: ଶେଷରେ ବିଜେଡିରୁ ତଡ଼ା ଖାଇଛନ୍ତି ଶ୍ରୀମୟୀ ମିଶ୍ର । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ଦିନେ ମୁଣ୍ଡରେ ବସାଉଥିବା ଏହି କ୍ଷମତାଶାଳୀଙ୍କୁ ଦଳ ଛୋଟିଆ ନେତାର ପରିଚୟ ଦେଇ ବିଦା କରିଛି । ମୟୁରଭଞ୍ଜ ଜିଲ୍ଲାର ଜନୈକ ପୂର୍ବତନ ବ୍ଲକ୍ ସଭାପତି ଏବଂ ପୂର୍ବତନ ଜିଲ୍ଲା ସମ୍ପାଦକଙ୍କଠାରୁ ମଧ୍ୟ ତାଙ୍କୁ ହୀନ କରିଦେଇଛି । ପୂର୍ବତନ ଗଡ଼ଫାଦର ନବୀନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ସୋସିଆଲ୍ ମିଡିଆରେ ଟିପ୍ପଣୀ ଶ୍ରୀମୟୀଙ୍କ ପାଇଁ ମହଙ୍ଗା ହୋଇଛି ।
ବିଜେଡି ଉପସଭାପତି(ମୁଖ୍ୟାଳୟ) ପ୍ରତାପ ଜେନା ନିଜ ଦସ୍ତଖତରେ ଶ୍ରୀମୟୀଙ୍କ ନିଲମ୍ବନ ଆଦେଶ ବାହାର କରିଛନ୍ତି । ତାଙ୍କ ସମେତ ତିନିଜଣଙ୍କୁ ଦଳରୁ ବାହାର କରିଛନ୍ତି । ଗୁରୁତ୍ୱ ଦୃଷ୍ଟିରୁ ସେମାନେ ତାଲିକାରେ ଶ୍ରୀମୟୀଙ୍କ ଉପରେ ଅଛନ୍ତି । ଏକ ନମ୍ବରରେ କପ୍ତିପଦା ବ୍ଲକ୍ ର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ସାଏ, ଦୁଇ ନମ୍ବରରେ ମୟୁରଭଞ୍ଜର ପୂର୍ବତନ ଜିଲ୍ଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଏ ଏବଂ ତିନି ନମ୍ବର ତଥା ସବା ତଳେ ଶ୍ରୀମୟୀଙ୍କ ନାଁ ଅଛି ।
ଏହା ଜରିଆରେ ବିଜେଡି ଦେଖାଇବାକୁ ଚାହିଁଛି ଯେ ଗୁରୁତ୍ୱଦୃଷ୍ଟିରୁ ଶ୍ରୀମୟୀ ମିଶ୍ର ଜଣେ ତଳିଆ କର୍ମୀ ଥିଲେ । ବ୍ଲକ୍ ଓ ଜିଲ୍ଲା କର୍ମକର୍ତ୍ତାଙ୍କ ତୁଳନାଠାରୁ ମଧ୍ୟ ତାଙ୍କର କମ୍ ଗୁରୁତ୍ୱ ଥିଲା ।
ବିଜେଡିର ଏହି ନିଲମ୍ବନ ଆଦେଶ ଆସିବା ପରେ ଚିହିଁକି ଉଠିଛନ୍ତି ଶ୍ରୀମୟୀ । ବିଜେଡିଠାରୁ ବର୍ଷେ ହେଲା ସମ୍ପର୍କ କାଟି ସାରିଛନ୍ତି ବୋଲି ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ନିଜର ପୂର୍ବତନ ଗଡ଼ଫାଦର ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ।
ସେ ଲେଖିଛନ୍ତି- ଆତ୍ମସମ୍ମାନ ଓ ସ୍ୱାଭିମାନ ସହ ସାଲିସ କରିନାହିଁ କି କରିବି ନାହିଁ ମଧ୍ୟ । ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ । ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର । ମାଆକୁ ସମ୍ମାନର ଆହ୍ୱାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ । ମୁଁ ଓଡ଼ିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ୍ ମନେ କରୁନାହିଁ ।
ଅନ୍ୟପକ୍ଷରେ, ଶ୍ରୀମୟୀ ମିଛୁଆଣୀ ବୋଲି ବିଜେଡି ଦର୍ଶାଇଛି । ପୁରୁଣା ଆଲବମ୍ ରୁ ବିଜେଡି ସହ ତାଙ୍କ ନିବିଡ଼ ସମ୍ପର୍କର ଏକାଧିକ ଫଟୋ ମିଡିଆ ଗ୍ରୁପ୍ ରେ ସେୟାର୍ କରିଛି ।








