ଭୁୁବନେଶ୍ୱର: କଟକ ଏସସିବି ମେଡିକାଲ କଲେଜକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ବାସ୍ତବ ରୂପ ନେବାକୁ ଯାଉଛି । ଏହାକୁ ଏମ୍ସ ପ୍ଲସ୍ ର ରୂପ ଦିଆଯାଉଛି । ୧୭୫ ଏକର ଜମିରେ ଏହାର ରୂପାନ୍ତର ପାଇଁ ୩୫୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ଭୋରରୁ କଟକ ଆସି ଏହି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ସହିତ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ସେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ନବନିର୍ମିତ କ୍ଲିନିକାଲ୍ ବ୍ଲକ୍ ୧ ଓ ୪ ର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ । ଏଥିସହିତ ଅନ୍ୟ ବ୍ଲକଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରହିବ । ରୋଗୀଙ୍କ ସମ୍ପର୍କୀୟମାନଙ୍କ ରହିବା ନିମନ୍ତେ ଧର୍ମଶାଳା ଓ ହୋଟେଲ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ । ରାଣୀହାଟ ଛକ ନିକଟରେ କମର୍ସିଆଲ୍ କମ୍ପ୍ଲେକ୍ସ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ।
ବଡ଼ ଡାକ୍ତରଖାନାର ଅଧ୍ୟାପକ, ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କ ରହଣୀ ନିମନ୍ତେ ୧୩ ଟି ଆବାସିକ ବ୍ଲକ୍ ନିର୍ମାଣ କରାଯିବ । ବର୍ତ୍ତମାନ ସୁଦ୍ଧା ମାତ୍ର ୫ ଟିର କାମ ଆରମ୍ଭ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ସମସ୍ତ ଆବାସିକ ବ୍ଲକ୍ ର କାମ ସମ୍ପୂର୍ଣ୍ଣ ହେବ । ଏଥିସହିତ ଏସସିବି ପବ୍ଲିକ୍ ସ୍କୁଲ ର କାମ ମଧ୍ୟ ମାର୍ଚ୍ଚ ୨୦୨୩ ସୁଦ୍ଧା ଶେଷ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ତାଳଦଣ୍ଡା କେନାଲ: ତାଳଦଣ୍ଡା କେନାଲ କୂଳରେ ବୁଲା ବିକାଳୀମାନେ ଯେଭଳି ନ ବସିବେ, ସେମାନଙ୍କ ପାଇଁ କଟକ ମ୍ୟୁନିସିପାଲଟି କର୍ପୋରେସନ୍ ପକ୍ଷରୁ ଅର୍ବାନ ହାଟ ନିର୍ମାଣ କରାଯାଉଛି । ଏହି କାମ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ ହେବ । ଭବିଷ୍ୟତର ପାର୍କିଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଫର ଜୋନ୍ କରାଯିବ । ମାଲପରିବହନ କରୁଥିବା ବଡ ବଡ ଯାନ ଗୁଡିକର ପାର୍କିଂ ପାଇଁ ରେଲୱେ ଠାରୁ ଅଧିକ ଜମି ନେବା ପାଇଁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ଲୋକ ତଥା ବୁଲା ବିକାଳୀ ମାନେ ଯେପରି ତାଳଦଣ୍ଡା କେନାଲରେ ଅଳିଆ ଆବର୍ଜନା ନ ପକାଇବେ, ସେଥିପାଇଁ ସେମାନଙ୍କୁ ସଚେତନ କରିବା ସହିତ କେନାଲ ରାସ୍ତାରେ ଥିବା ସମସ୍ତ ଇଲେକ୍ଟ୍ରି ସବ୍ଷ୍ଟେସନ, ପାଣି ପାଇପ ତଥା ନର୍ଦ୍ଦମାଜଳ ପାଇପ ସଂପୂର୍ଣ୍ଣ ଭାବରେ ତୁରନ୍ତ ସ୍ଥାନାନ୍ତକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।








