ଭୁବନେଶ୍ୱର: ଅଣ ଆଦିବାସୀଙ୍କୁ ଆଦିବାସୀଙ୍କ ଜମି ବିକ୍ରୀ ସକାଶେ ରେଗୁଲେସନ-୨, ୧୯୫୬ ଆଇନର ସଂଶୋଧନ ପ୍ରସ୍ତାବକୁ ଦୁଇ ଦିନ ତଳେ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଥିଲା । ଏଥିରେ ଅଣ ଆଦିବାସୀଙ୍କୁ ଆଦିବାସୀମାନେ ଜମି ବିକ୍ରୀ ବା ସମ୍ପତ୍ତି ହସ୍ତାନ୍ତର କରିପାରିବାର ଅନୁମତି ଥିଲା । ତେବେ ଉକ୍ତ ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି । ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ(ଟୁଇଟର) ଯୋଗେ ଏହି ନିଷ୍ପତ୍ତି ଜଣାଇଛନ୍ତି ।
ଶ୍ରୀ ମାର୍ଣ୍ଡି କହିଛନ୍ତି- ଗତ ୧୪ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇଥିବା ଆଦିବାସୀଙ୍କ ଜମି ହସ୍ତାନ୍ତର ସଂକ୍ରାନ୍ତୀୟ ରେଗୁଲେସନ୍-୨, ୧୯୫୬ ଆଇନର ସଂଶୋଧନ ପ୍ରସ୍ତାବକୁ ସ୍ଥଗିତ ରଖାଯାଇଛି ।
ସୂଚନାଥାଉକି, ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨, ୧୯୫୬ ଆଇନ ପ୍ରଚଳନ ହେଉଛି । ୨୦୦୨ ମସିହାରେ ଏହି ଆଇନରେ କେତେକ ସଂଶୋଧନ ଫଳରେ ଜଣେ ଅନୁସୂଚିତ ଜନଜାତି(ଆଦିବାସୀ) ବର୍ଗର ବ୍ୟକ୍ତି ନିଜର ସ୍ଥାବର ସମ୍ପତ୍ତି କେବଳ ସେହି ବର୍ଗର ବ୍ୟକ୍ତିଙ୍କୁ ହିଁ ହସ୍ତାନ୍ତର କରିପାରିବେ । ଏହି ବର୍ଗର ବ୍ୟକ୍ତି କେବଳ କୃଷି ଉଦ୍ଦେଶ୍ୟରେ ନିଜର ଜମିକୁ କୌଣସି ଅର୍ଥକାରୀ ସଂସ୍ଥାରେ ବନ୍ଧକ ରଖିପାରିବେ ।
ତେବେ ଆଇନରେ ଏହି ବ୍ୟବସ୍ଥା ଦ୍ୱାରା ଆଦିବାସୀ ବର୍ଗର ଶିକ୍ଷିତ ଯୁବକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ରାଜ୍ୟ ସରକାର ହୃଦୟଙ୍ଗମ କରିଥିଲେ । ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦର ସୁପାରିଶକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ଏହି ଆଇନରେ କେତେକ ସଂଶୋଧନ କରିବାକୁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଥିଲା । ଯାହାଫଳରେ ଜଣେ ଆଦିବାସୀ ବର୍ଗର ବ୍ୟକ୍ତି ଜଣେ ଅଣ ଆଦିବାସୀ ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ହେଲେ ଏହି ବ୍ୟକ୍ତି ଯେପରି ଭୂମିହୀନ ବା ଗୃହଶୂନ୍ୟ ନ ହୁଏ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ ବୋଲି କୁହାଯାଇଥିଲା ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା । ଆଦିବାସୀଙ୍କ ଭାବାବେଗକୁ ପୁଞ୍ଜି କରି ଏହି ପ୍ରସଙ୍ଗରୁ ରାଜନୈତିକ ଫାଇଦା ହାସଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆଦିବାସୀଙ୍କ ଜମିକୁ ବ୍ୟବସାୟୀ, ଜମି ମାଫିଆ, ଠିକାଦାରଙ୍କ ହାତକୁ ଟେକିଦେବାର ଏହା ରାଜ୍ୟ ସରକାରଙ୍କ ଏକ ଷଡ଼ଯନ୍ତ୍ର ବୋଲି ବିଜେପି ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ନବରଙ୍ଗପୁର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ।
ସେ କହିଥିଲେ, ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର ପାଇଁ କୌଣସି ଆଦିବାସୀ ସଂଗଠନ କେବେ ବି ସରକାରଙ୍କ ପାଖରେ ଦାବି କରିନାହାନ୍ତି । ବିଧାନସଭାରେ ମଧ୍ୟ କୌଣସି ଆଦିବାସୀ ବିଧାୟକ ଏକଥା ଉଠାଇ ନାହାନ୍ତି । ଏହି ପ୍ରସଙ୍ଗରେ ଟ୍ରାଇବାଲ୍ ଆଡଭାଇଜରି କମିଟି ବୈଠକରେ ଆଲୋଚନା ହେବା କଥା ଯାହା କୁହାଯାଉଛି ସେଥିରେ ସତ୍ୟତା ନାହିଁ । ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ବିଜେପି ରାଜ୍ୟର ସମସ୍ତ ଆଦିବାସୀ ସମାଜକୁ ସାଙ୍ଗରେ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଧମକ ଦିଆଯାଇଥିଲା ।