ଭୁବନେଶ୍ୱର: ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ସରକାରଙ୍କ ଆଭିମୁଖ୍ୟ ଦୋହରାଇଛନ୍ତି ।
ପ୍ରତ୍ୟେକ ବର୍ଷର ଜୁନ୍ ରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡ଼ି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ । ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ଅଛି । ତେଣୁ ଏ ବାବଦରେ ଆମର ପ୍ରସ୍ତୁତିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ଏବଂ ପ୍ରାଶାସନିକ କଳ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା ଓ ପ୍ରାଣୀସେବା ବ୍ୟବସ୍ଥାଗୁଡ଼ିକୁ ପ୍ରସ୍ତୁତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥିସହ ଓଡ୍ରାଫ ଓ ଅଗ୍ନିସେବା ବାହିନୀ ପ୍ରସ୍ତୁତ ରହିବା ଜରୁରୀ ବୋଲି କହିଥିଲେ । ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥକୁ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡ଼ିକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ । ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ତା ଉପରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷ କରି ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ ।
ବୈଠକରେ ବିଧାୟକ ନରସିଂହ ମିଶ୍ର, ଜୟନ୍ତ ଷଡଙ୍ଗୀ, ରାଜେନ୍ଦ୍ର ସାହୁ, ସାଂସଦ ଚନ୍ଦ୍ରଶେଖର ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖି ନିଜ ନିଜ ଅଞ୍ଚଳରେ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ।
ଉନ୍ନୟନ କମିଶନର-ତଥା-ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ବୈଠକରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।