ଭୁବନେଶ୍ୱର: ଆଜି ଓଡିଶା ଦିବସ । ସାରା ରାଜ୍ୟରେ ଓଡିଆ ଅସ୍ମିତାର ଉତ୍ସବ। ଏହି ଅବସରରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଓଡିଶା ଗଠନର ମୁଖ୍ୟ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ମାଟି ସତ୍ୟଭାମାପୁରରେ ଆୟୋଜନ କରିଛନ୍ତି ରାଜ୍ୟ ସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁର ହେଉଛି ଆମ ପାଇଁ ଏକ ପବିତ୍ର ସ୍ଥାନ, ଏକ ତୀର୍ଥ। ଏ ସ୍ଥାନକୁ ଓଡିଆ ଜାତୀୟତା ଭାବର ଏକ କେନ୍ଦ୍ର ସ୍ଥଳ ଭାବେ ବିକଶିତ କରାଯିବ ।
ମୁଖ୍ୟମନ୍ତ୍ରୀ କହିଲେ ଯେ, ଆଜି ଦିନଟି ହେଉଛି ଓଡ଼ିଆ ଅସ୍ମିତାର ଦିବସ। ଓଡ଼ିଆ ସ୍ୱାଭିମାନର ଦିବସ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନକୁ ଗୁରୁତ୍ୱ ଦେଇ ଓଡ଼ିଶାବାସୀ ଯେଉଁ ପରିବର୍ତ୍ତନ ଆଣିଥିଲେ, ତାକୁ ସମ୍ମାନ ଦେଇ, ଆଜି ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ମଧୁବାବୁଙ୍କ ଗାଁ’ ମାଟିରେ ‘ଓଡ଼ିଶା ଦିବସ’ ପାଳନ କରୁଛୁ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବ ‘ମଧୁସୂଦନ ଦାସଙ୍କ ଜନ୍ମ ସ୍ଥାନର ସମନ୍ୱିତ ବିକାଶ କାର୍ଯ୍ୟକ୍ରମ(Integrated Development of Madhusudan Das’ Birth Place)’ର ଭିତ୍ତିପ୍ରସ୍ତର ରଖିଥିଲେ । 21 କୋଟି ଟଙ୍କା ବିନିଯୋଗରେ ବିକଶିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମଧୁବାବୁଙ୍କ ଜନ୍ମ ସ୍ଥାନର ଉନ୍ନତିକରଣ ସହିତ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ, ଏନ୍ତୁଡିଶାଳର ଉନ୍ନତିକରଣ, ପ୍ରତିମୂର୍ତ୍ତି ନିର୍ମାଣ, ଅତିଥି ଭବନ, ପାଠାଗାର ଏବଂ ସେଠାରେ ଥିବା ଜଳାଶୟରେ ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ସ୍ଥାପନ ଆଦି କରାଯିବ ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆମର ବରପୁତ୍ର ମାନେ ଯେଉଁ ତ୍ୟାଗ ଓ ସଂଗ୍ରାମ କରିଯାଇଛନ୍ତି, ସେ ଋଣକୁ ଆମେ କେବେ ବି ସୁଝି ପାରିବୁ ନାହିଁ। ତେବେ, ଏକ ସମୃଦ୍ଧ ଓଡିଶା ଗଠନ କରି ସେମାନଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଢ଼େ ଚାରି କୋଟି ଓଡ଼ିଶାବାସୀ ଯେତେବେଳେ ଏକଜୁଟ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗେଇ ଚାଲିବେ, ସେତେବେଳେ ପୃଥିବୀର କୌଣସି ଶକ୍ତି ତାଙ୍କୁ ଅଟକେଇ ପାରିବେ ନାହିଁ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ସ୍ୱପ୍ନ ପୂରଣ ହେବ। ଲକ୍ଷ୍ୟ ସଫଳ ହେବ।
ଓଡିଶାର ଏହି ମହା ପରିବର୍ତ୍ତନର ଯାତ୍ରାରେ ସମସ୍ତେ ସାମିଲ ହୋଇ ସମୃଦ୍ଧ ଓଡ଼ିଶାର ମହାନ ଲକ୍ଷ୍ୟକୁ ହାସଲ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ।
ଓଡିଆ ପକ୍ଷ
ରାଜ୍ୟରେ ଆରମ୍ଭ ହୋଇଥିବା ଓଡିଆ ପକ୍ଷ ପାଳନ କରିବାକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଓଡ଼ିଶାର ପ୍ରକୃତ ସମ୍ପଦ ହେଉଛନ୍ତି ଆପଣମାନେ। ଆମର ସାଢ଼େ ଚାରି କୋଟି ଓଡ଼ିଶାବାସୀ। ଆମର ପ୍ରତ୍ୟେକ ରକ୍ତ ବିନ୍ଦୁରେ ଓଡ଼ିଆ ଅସ୍ମିତା ଭରି ରହିଛି। ଆମର ଚାଲିଚଳଣ, କଥାବାର୍ତ୍ତା, ଖାଦ୍ୟ… ସବୁଥିରେ ଭରି ରହିଛି ଗୋଟିଏ ନିଚ୍ଛକ ଓଡ଼ିଆପଣ। ସେହି ଓଡ଼ିଆପଣ, ଓଡ଼ିଆ ଅସ୍ମିତାକୁ ଆଗେଇ ନେବା ପାଇଁ ଆମେ ପ୍ରତିବଦ୍ଧ। ସେଥିପାଇଁ ଆଜିଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଆମେ ‘ଓଡ଼ିଆ ପକ୍ଷ’ ପାଳନ କରୁଛୁ ।
ଏହି ସମୟରେ ପ୍ରତ୍ୟେକ ଓଡିଆ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବା, ଓଡ଼ିଆ ପୋଷାକ ପିନ୍ଧିବା ଏବଂ ଓଡ଼ିଆରେ ବାର୍ତ୍ତାଳାପ କରିବା ସହିତ ଓଡ଼ିଆ ପତ୍ରପତ୍ରିକା ମଧ୍ୟ ପଢ଼ିବାକୁ ସେ ଆହ୍ୱାନ ଦେଇଥିଲେ।
ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି
ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ରାଜ୍ୟ ତଥା ରାଜ୍ୟ ବାହାରେ ଏବଂ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର କେବଳ ମଧୁବାବୁଙ୍କ ଜନ୍ମମାଟି ନୁହେଁ, ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ ସ୍ଥଳ। ଆଧୁନିକ ଭାରତରେ ଓଡ଼ିଆ ଭାଷାର ଉତ୍ଥାନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧାଙ୍କ ଜନ୍ମସ୍ଥଳୀ ହେଉଛି ଏ ପବିତ୍ର ମାଟି। ଯେଉଁ ମାଟିର ସନ୍ତାନ ସବୁ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ି, ଆମକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥିଲେ, ତାଙ୍କୁ ସଶ୍ରଦ୍ଧ ପ୍ରଣିପାତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ପୁଣି କହିଥିଲେ ଯେ, ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ହୋଇଥିବା ଆନ୍ଦୋଳନର ଲକ୍ଷ୍ୟ କେବଳ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ଭୌଗୋଳିକ ଭୂଖଣ୍ଡ ବନାଇବା ନ ଥିଲା। ଏହାର ଆଉ ଗୋଟିଏ ପ୍ରଧାନ ଲକ୍ଷ୍ୟ ଥିଲା, ଅବକ୍ଷୟମାନ ଓଡ଼ିଆ ଭାଷା ଓ ସାହିତ୍ୟକୁ ପୁନର୍ଜୀବିତ କରି ଘରେ ଘରେ ଆଦୃତ କରାଇବା।
ତେଣୁ, ଓଡ଼ିଶା ପ୍ରଦେଶ ଗଠନ ସହିତ, ଓଡ଼ିଆ ଭାଷା ଓ ସାଂସ୍କୃତିକ ଜାଗୃତି ପାଇଁ ମଧ୍ୟ ଲେଖନୀ ମାଧ୍ୟମରେ ଆନ୍ଦୋଳନ ଚାଲିଥିଲା। ଏହାର ପୁରୋଧା ଥିଲେ ସ୍ଵଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, କର୍ମବୀର ଗୌରି ଶଙ୍କର ରାୟ, ବ୍ୟାସକବି ଫକୀର ମୋହନ ସେନାପତି।
ଏପରିକି, ମଧୁବାବୁ ଓଡ଼ିଆମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଲେଖନୀ ଚାଳନା କରୁଥିଲେ। ତାଙ୍କ ରଚିତ “ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ; ପୂରୁବ ଗୌରବ ପୂରୁବ ସାହସ, ପଡ଼ିବ କି କେବେ ମନେ!” ଲକ୍ଷ ଲକ୍ଷ ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିଥିଲା।
ମଧୁବାବୁଙ୍କ ଡାକରେ ସାରା ଓଡ଼ିଆ ଜାତି ଏକତ୍ରିତ ହୋଇଥିଲା ଏବଂ ୮୯ ବର୍ଷ ପୂର୍ବେ ଆଜିର ଦିନରେ ଆମେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଗଠନ କରିଥିଲୁ।
ସାରା ଭାରତରେ ଓଡ଼ିଶା ଥିଲା ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ମହାନ୍ ଭାରତ ବର୍ଷରେ ରାଜ୍ୟ ଗଠନ ପାଇଁ ଓଡ଼ିଶାର ସଂଗ୍ରାମ ଥିଲା ଏକ ମାର୍ଗଦର୍ଶକ। ଏହା ପରେ ଦେଶର ଅଧିକାଂଶ ରାଜ୍ୟ, ଭାଷା ଭିତ୍ତିରେ ହିଁ ଗଠନ କରାଯାଇଥିଲା।
ଏହି ଅବସରରେ ଓଡ଼ିଶା ଭୂଖଣ୍ଡକୁ ଏକତ୍ରିତ କରି ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠନ କରିବା ପାଇଁ ଯେଉଁ ମହାନ ବରପୁତ୍ରମାନେ ସାରା ଜୀବନ ସଂଗ୍ରାମ କରିଥିଲେ ସେମାନଙ୍କୁ ମୁଁ ପ୍ରଣାମ କରୁଛି।
ଏକ ‘‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’’ ଗଠନ କରିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ୧୯୦୩ ମସିହାରେ କଟକରେ ଉତ୍କଳ ସମ୍ମିଳନୀର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍କଳ ସମ୍ମିଳନୀର ନିରନ୍ତର ଉଦ୍ୟମ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ ସ୍ଥାପନ କରିଥିଲା।
ମଧୁବାବୁଙ୍କ ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହରଙ୍କ ପରି ଅନେକ ବରପୁତ୍ର ମାନଙ୍କ ତ୍ୟାଗ ଓ ସଂଗ୍ରାମ ଯୋଗୁ ସ୍ବତନ୍ତ୍ର ଓଡ଼ିଶାର ସ୍ବପ୍ନ ସଫଳ ହୋଇପାରିଥିଲା। ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଦେଶୀୟ ରାଜ୍ୟଗୁଡ଼ିକ ଓଡ଼ିଶାରେ ମିଶିଥିଲେ ଏବଂ ଓଡ଼ିଶା ତାର ବର୍ତ୍ତମାନର ସ୍ୱରୂପ ପାଇଥିଲା। ଏହି ଅବସରରେ ସେମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପାଇକ ବିଦ୍ରୋହ
୧୮୦୩ ମସିହାରେ ଓଡ଼ିଶାରେ ଇଂରେଜ ଶାସନ ଆରମ୍ଭ ହୋଇଥିଲା। ଏହାର ମାତ୍ର ୧୪ ବର୍ଷ ପରେ ୧୮୧୭ ମସିହାର ପାଇକ ବିଦ୍ରୋହ ଓଡ଼ିଶାରେ ବ୍ରିଟିଶ୍ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ବକ୍ସି ଜଗବନ୍ଧୁଙ୍କ ସହିତ ଅନେକ ବୀର ସଂଗ୍ରାମୀ ଦେଶର ସ୍ୱାଧିନତା ପାଇଁ ଜୀବନ ଦେଇଥିଲେ।
ଭାରତ ଇତିହାସରେ ଏହାଥିଲା ସବୁଠାରୁ ପ୍ରଥମ ବଡ଼ ଜନ ସଂଗ୍ରାମ। କାରଣ ପାଇକ ବିଦ୍ରୋହ କେବଳ ରାଜା କିମ୍ୱା ନେତୃବୃନ୍ଦ ମାନଙ୍କର ସଂଗ୍ରାମ ନଥିଲା, ଏହା ଥିଲା ଓଡ଼ିଶାର ବୀର ପାଇକମାନଙ୍କର ଏବଂ ସାଧାରଣ ଲୋକଙ୍କ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ସଂପୂର୍ଣ୍ଣ ସଂଗ୍ରାମ। ବୋଧହୁଏ, ସିପାହୀ ବିଦ୍ରୋହ ପାଇଁ ଓଡ଼ିଶାର ପାଇକ ବିଦ୍ରୋହ ଥିଲା ପ୍ରେରଣାର ଏକ ମହାନ୍ ଉତ୍ସ।
ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ଭାଷା ଆନ୍ଦୋଳନ
ଓଡ଼ିଆ ଭାଷା ଆଜି ଏକ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ହାସଲ କରିଛି। କିନ୍ତୁ ଦିନ ଥିଲା, ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ଭାଷା ଭାବେ ଗ୍ରହଣୀୟ ମଧ୍ୟ ହେଉ ନଥିଲା। ବ୍ରିଟିଶ୍ ସମୟର ରାଜନୈତିକ ପରିସ୍ଥିତି ଓଡ଼ିଶାକୁ ଏକ ଶୋଚନୀୟ ସ୍ଥିତିରେ ରଖିଥିଲା। ଓଡ଼ିଆ ଭାଷାଭାଷୀ ଅଞ୍ଚଳର କିଛି ଭାଗ ବେଙ୍ଗଲ ପ୍ରେସିଡେନ୍ସି ସହିତ ମିଶି ରହିଥିଲା, କିଛି ଭାଗ କେନ୍ଦ୍ରୀୟ ପ୍ରୋଭିନ୍ସ ସହିତ ମିଶି ରହିଥିଲା, ଦକ୍ଷିଣର କିଛି ଅଞ୍ଚଳ ମାଡ୍ରାସ ପ୍ରେସିଡେନ୍ସି ସହିତ ମିଶି ରହିଥିଲା, ତ କିଛି ଅଞ୍ଚଳ ବିହାର-ଓଡ଼ିଶା ପ୍ରୋଭିନ୍ସରେ ସମ୍ମିଳିତ ହୋଇଥିଲା। ଫଳରେ, ସେହିସବୁ ଅଞ୍ଚଳରେ ଓଡ଼ିଆ ବଦଳରେ ବଙ୍ଗାଳୀ, ହିନ୍ଦୀ ଓ ତେଲୁଗୁ ଭାଷା ଓ ସଂସ୍କୃତି ବିସ୍ତାର ଲାଭ କରୁଥିଲା।
ତେଣୁ, ଏହି ସବୁ ଅଞ୍ଚଳର ଏକତ୍ରିକରଣ କରି ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ପଛରେ ଓଡ଼ିଆ ଭାଷାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ୱତନ୍ତ୍ର ରାଜ୍ୟ ଗଠନ କ୍ଷେତ୍ରରେ ଆମର ସଂଗ୍ରାମୀ ମହାପୁରୁଷମାନେ ଓଡ଼ିଆ ଭାଷାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ।
ଇଣ୍ଡୋ-ଆର୍ଯ୍ୟାନ୍ ଓ ଓଡ୍ର ପ୍ରାକୃତ ଭାଷାରୁ ସୃଷ୍ଟି ହୋଇଥିବା ଓଡ଼ିଆ ଭାଷାର ଏକ ଦୀର୍ଘ ଇତିହାସ ରହିଛି। ପଞ୍ଚଦଶ ଶତାବ୍ଦୀରେ ଆଦିକବି ସାରଳା ଦାସଙ୍କ ମହାଭାରତର ଲୋକପ୍ରିୟତା ଓଡ଼ିଆ ଭାଷାର ଉତ୍ଥାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେ ସମୟରେ ପଞ୍ଚସଖାଙ୍କର ରଚିତ ବିଭିନ୍ନ ପୁରାଣ ଓଡ଼ିଆ ଭାଷାକୁ ଘରେ ଘରେ ଲେଖନ-ପଠନର ଭାଷା ଭାବେ ବିକଶିତ କରିଥିଲା। ଏହାପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶରେ ଏକ ଅନନ୍ୟ ଭୂମିକା ଗ୍ରହଣ କରିଥିଲେ।
ନୂଆ ଲକ୍ଷ୍ୟ, ନୂଆ ସ୍ୱପ୍ନ
ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୯ ବର୍ଷ ପୁରି 90ତମ ବର୍ଷ ଆରମ୍ଭ ହୋଇଛି। ଉତ୍କଳ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଭିତରୁ ଏକ ସ୍ଵତନ୍ତ୍ର ଓଡ଼ିଶାର ସର୍ବାଙ୍ଗୀନ ବିକାଶ କରିବା ଥିଲା ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟ।
କିନ୍ତୁ, ଦୁର୍ଭାଗ୍ୟବଶତଃ, ସ୍ଵାଧୀନତାର 77 ବର୍ଷ ବିତିଯାଇଥିଲେ ସୁଦ୍ଧା, ଓଡ଼ିଶା ତାର ସାମର୍ଥ୍ୟକୁ ପୂର୍ଣ୍ଣ ରୂପେ ବିନିଯୋଗ କରି, ରାଜ୍ୟବାସୀଙ୍କ ଉନ୍ନତି ଦିଗରେ ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ ।
କିନ୍ତୁ, ଓଡ଼ିଆ ଜାତି ଭାବରେ ଆମର ସ୍ୱପ୍ନ ଅସୀମ, ଅସୁମାର। ଆମର ଲକ୍ଷ୍ୟ ଖୁବ୍ ବିଶାଳ। ସେହି ବିଶାଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମର ଓଡ଼ିଆ ଭାଇ ଭଉଣୀମାନେ ରାଜ୍ୟରେ ଆଣିଛନ୍ତି ପରିବର୍ତ୍ତନ। ଆପଣମାନଙ୍କ ପରିବର୍ତ୍ତନର ସ୍ୱପ୍ନ ଓ ବିଶାଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆପଣଙ୍କ ନୂଆ ସରକାର ଦୃଢ଼ ସଂକଳ୍ପ ଓ ଉତ୍ସାହର ସହ ଉଦ୍ୟମ ଆରମ୍ଭ କରିଛନ୍ତି।
ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ। ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂରଣ ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବୁ। ଆହୁରି ଆଗକୁ ଯାଇ, ୨୦୪୭ରେ ଆମର ଓଡ଼ିଶାକୁ ଆମେ ବିକଶିତ ଭାରତର ଏକ ଗ୍ରୋଥ୍ ଇଞ୍ଜିନ୍ କରିବୁ। ସମୃଦ୍ଧ ଓଡ଼ିଶାର ପ୍ରତ୍ୟେକଟି ସ୍ତମ୍ଭ ଓଡ଼ିଶାବାସୀ ହିଁ ନିର୍ମାଣ କରିବେ ଏବଂ ଓଡ଼ିଶାବାସୀ ହିଁ ପୁଣି ଥରେ ଲେଖିବେ ସେମାନଙ୍କର ଗୌରବମୟ ଇତିହାସ।
ମଧୁବାବୁଙ୍କ ଜନ୍ମମାଟିରେ ଆମର ଏହି ସଂକଳ୍ପ, ଓଡ଼ିଶା ପାଇଁ ଆଣିବ ଏକ ନୂଆ ସକାଳ। ମଧୁ-ମାଟିର ପ୍ରତ୍ୟେକଟି କଣିକା ଓଡ଼ିଆ ଜାତିର ସ୍ୱପ୍ନ ଓ ସଫଳତାର ବାର୍ତ୍ତାବହ।






