ଭୁବନେଶ୍ୱର: ଧାମନଗର ଭୁଲ୍ ର ପୁନରାବୃତ୍ତି ପଦ୍ମପୁରରେ ହେବ ନାହିଁ । ସେଥିିପାଇଁ ବିଜେଡି ଅଧିକ ସତର୍କ ହୋଇଯାଇଛି । ପଦ୍ମପୁର ଆସନରେ ବିଜୟବାନା ଉଡ଼ାଇ ରଖିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଏଥିରେ ସ୍ଥାନୀୟ ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଚାର ମଙ୍ଗ ସମ୍ପୂର୍ଣ୍ଣ ସମ୍ଭାଳିବେ । ଶ୍ରୀ ଆଚାର୍ଯ୍ୟ ଓ ସୁଶାନ୍ତ ସିଂହଙ୍କୁ ସାମଗ୍ରିକ ଭାବେ ନିର୍ବାଚନମଣ୍ଡଳୀର ପରିଚାଳନା ଦାୟିତ୍ୱ ଦିଆଯାଇଛି ।
ତିନି ମନ୍ତ୍ରୀଙ୍କ ଦାୟିତ୍ୱରେ ତିନିଟି ବ୍ଲକ ଛଡ଼ାଯାଇଛି । ନିରଞ୍ଜନ ପୂଜାରୀଙ୍କୁ ପଦ୍ମପୁର, ନବ ଦାସଙ୍କୁ ପାଇକମାଳ ଏବଂ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଝାରବନ୍ଧ ବ୍ଲକ୍ ଦାୟିତ୍ୱ ଦିଆଯାଇଛି । ଖାଲି ସେତିକି ନୁହେଁ, ନିର୍ବାଚନମଣ୍ଡଳୀକୁ ଜୋନ୍ ରେ ବିଭକ୍ତ କରାଯାଇ ପଶ୍ଚିମ ଓଡ଼ିଶାର ପ୍ରମୁଖ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ସରୋଜ ମେହେର ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଜୋନ୍ ଦାୟିତ୍ୱ ସମ୍ଭାଳିବେ । ଅନ୍ୟ ନେତାମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।
ସେପଟେ ବିଜେପି ମଧ୍ୟ ଉପନିର୍ବାଚନ ଯୋଜନାରେ ଆଗକୁ ବଢ଼ି ସ୍ଥାନୀୟ ନେତାଙ୍କୁ ଗୁରୁତ୍ୱ ଦେଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ । ଧାମନଗର ଶୈଳୀରେ ପ୍ରଚାର ଓ ପରିଚାଳନା କରାଯିବ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ନିର୍ବାଚନ ବେଳେ ସମସ୍ତ ବିଧାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ନେତାମାନଙ୍କୁ ସେଠି ରହି ନିର୍ବାଚନ ଦାୟିତ୍ୱ ନେବାକୁ କୁହାଯାଇଛି । ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଏବଂ ଡି ପୁରନେ୍ଦଶ୍ୱରୀ ଖୁବ୍ ଶୀଘ୍ର ଏଠାକୁ ଆସି ରଣନୀତି ପ୍ରସ୍ତୁତ କରିବେ ।
ସୂଚନାଥାଉକି, ବିଜେଡି ପ୍ରାର୍ଥୀ ଚୟନ ପାଇଁ ବିଚାର ବିମର୍ଷ ଜୋରଦାର ଚାଲିଥିବା ବେଳେ ବିଜେପି ଔପଚାରିକ ଭାବେ କେବଳ ପ୍ରାର୍ଥୀ ଘୋଷଣା କରିବ । ପ୍ରଦୀପ ପୁରୋହିତ ହେବେ ଦଳୀୟ ପ୍ରାର୍ଥୀ ।
ଇତିମଧ୍ୟରେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ବରିଷ୍ଠ ନେତା କିଶୋର ପଟେଲଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଧାମନଗରରେ ଶୋଚନୀୟ ପରାଜୟ ସତ୍ତ୍ୱେ ଦଳ ପଦ୍ମପୁର ପାଇଁ ନିରାଶ ହୋଇନାହିଁ । ଖୁବ୍ ଶୀଘ୍ର ପଦ୍ମପୁର ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଇଛି ।
ବିଜୟ ରଂଜନ ସିଂ ବରିହାଙ୍କ ବିୟୋଗ ଯୋଗୁଁ ପଦ୍ମପୁର ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଡିସେମ୍ବର ୫ ରେ ଭୋଟ ହେବ । ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ବରିହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୫,୭୩୪ ଭୋଟରେ ପରାସ୍ତ କରିଥିଲେ । ତେବେ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ପୁରୋହିତ ବିଜେଡିର ଶ୍ରୀ ବରିହାଙ୍କୁ ୪୫୧୩ ଭୋଟରେ ପରାସ୍ତ କରିଥିଲେ ।