ଭୁୁବନେଶ୍ୱର: ସ୍କୁଲ ଫି’ ବାକି ରଖିଥିବା ପିଲାଙ୍କୁ ସାର୍ କ୍ଲାସରୁ ବାହାର କରିଦେଲେ । ତିନୋଟି କ୍ଲାସ୍ ର ୩୪ ଜଣ ପିଲାଙ୍କୁ ଗୋଟିଏ ରୁମ୍ ରେ ରଖି ତାଲା ପକାଇଦେଲେ । ସକାଳ ୯.୩୦ ରୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ୫ ଘଣ୍ଟା କାଳ ପିଲାମାନେ ବନ୍ଦୀରେ ରହିଲେ । ପ୍ରବଳ ଗରମ ସତ୍ତ୍ୱେ ରୁମ୍ ଫ୍ୟାନ୍ ଚଲାଗଲାନି କି ପିଇବାକୁ ପାଣି ଦିଆଗଲାନି । ଏପରିକି ଟଏଲେଟ୍ କୁ ବି ଛଡ଼ାଗଲାନି । ଶେଷରେ ପିଲାଙ୍କ ହାତରେ ଖଣ୍ଡେ ଲେଖାଏଁ ନୋଟିସ୍ ଧରାଇ ଘରକୁ ଛାଡ଼ିଲେ ସାର୍ ।
ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳର ଘଟଣା ଇଏ ନୁହେଁ । ଖୋଦ୍ ରାଜଧାନୀ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଘଟଣା । ଘାଟିକିଆସ୍ଥିତ ଆପିଜେ ସ୍କୁଲରେ ଗତକାଲିର ଅଭାବନୀୟ ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । ପ୍ରତିବାଦରେ ଅଭିଭାବକମାନେ ସ୍କୁଲ ଆଗରେ ଧାରଣା ଦେବା ସହ ଥାନାରେ ଏତଲା ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ, ସୋମବାର ଦିନ ୯.୩୦ ମିନିଟ୍ ରେ ପିଲାଙ୍କର ପିରୟଡ଼ିକ ଟେଷ୍ଟ ସରିବା ପରେ ଷ୍ଟାଣ୍ଡାର୍ଡ ୩, ୪ ଓ ୫ ର ୩୪ ଜଣ ପିଲାଙ୍କୁ ସାର୍ ଡାକି ନେଇଥିଲେ । ସେମାନଙ୍କୁ ଏକ ରୁମ୍ ରେ ପୂରେଇ ବାହାରୁ ତାଲା ଠୁଙ୍କି ଦିଆଗଲା । ଫ୍ୟାନ୍ ସୁଇଚ୍ କାଳେ କିଏ ଅନ୍ କରିଦେବ ସେଥିପାଇଁ କରେଣ୍ଟ କାଟି ଦିଆଗଲା । ପିଇବାକୁ ପାଣି ଦିଆଗଲାନି କି ଟଏଲେଟ୍ ପାଇଁ କବାଟ ଖୋଲିଲାନି । ୯.୩୦ ରୁ ୨.୩୦ ଯାଏଁ ସେମାନଙ୍କୁ ଭିତରେ ସାଷ୍ଟାଙ୍ଗ୍ ବସାଇ ଦିଆଗଲା । ଦିନ ୨.୩୦ ବେଳକୁ ସମସ୍ତଙ୍କୁ ମୁକ୍ତି ଦିଆଯାଇଥିଲେ ମଧ୍ୟ କ୍ଲାସ୍ ରେ ପଶିବାକୁୁ ଅନୁମତି ଦିଆଗଲାନି । ହାତରେ ଖଣ୍ଡେ ଲେଖାଏଁ ଫି’ କଲେକ୍ସନ୍ ନୋଟିସ୍ ଧରାଇ ସାର୍ ଘରକୁ ଛାଡ଼ିଥିଲେ ।
ପିଲାଙ୍କ ପ୍ରତି ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ନିର୍ଦ୍ଦୟ, ଅମାନବୀୟ ଅତ୍ୟାଚାରର ପ୍ରତିବାଦରେ ଆଜି ସକାଳୁ ସ୍କୁଲ ସାମନାରେ ଅଭିଭାବକମାନେ ଏକାଠି ହୋଇଥିଲେ । ସେମାନେ ସେଠି ପ୍ରତିବାଦ ଧାରଣାରେ ବସିଥିଲେ । ସ୍କୁଲ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ କେହି ଦେଖା ଦେଇ ନ ଥିଲେ । ସେଠାରୁ ଅଭିଭାବକମାନେ ଭରତପୁର ଥାନାକୁ ଯାଇ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ । ଶିଶୁ ସୁରକ୍ଷା କମିଟିରେ ମଧ୍ୟ ଫେରାଦ ହୋଇଛନ୍ତି ।
ସଂପୃକ୍ତ ଅଭିଭାବକମାନଙ୍କ କହିବା କଥା, ଆମେ ପିଲାର ସ୍କୁଲ ଫି’ ଅନଲାଇନ୍ ରେ ଦେଇସାରିଛୁ । ମାତ୍ର ସ୍କୁଲ ୱେବସାଇଟ୍ ଅପଡ଼େଟ ହୋଇ ନ ଥିବାରୁ ବୋଧେ ସୋ’ କରୁନାହିଁ । ଏହି ତ୍ରୁଟି ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ । ମାତ୍ର ତାହା ଠିକ୍ କରିବା ବଦଳରେ ସେମାନଙ୍କ ପିଲାଙ୍କୁ ୫ ଘଣ୍ଟା ବନ୍ଦୀ କରି ନିର୍ଯ୍ୟାତନା ଦିଆଯାଇଛି । ଏ ସମ୍ପର୍କରେ ସ୍କୁଲ ପ୍ରଶାସନିକ ଅଧିକାରୀ ସୌମ୍ୟ ରଂଜନ ପଣ୍ଡାଙ୍କୁ ପଚାରିବାରୁ ସେ ଏହାକୁ ବିଜନେସ୍ ମ୍ୟାଟର୍ କହି ଆମକୁ ଦୁର୍ବବ୍ୟବହାର କରିଥିବା କିଛି ଅଭିଭାବକ କହିଛନ୍ତି ।
ଅଭିଭାବକଙ୍କ ଏତଲାକ୍ରମେ ଭରତପୁର ଥାନା ପୁଲିସ ସ୍କୁଲ ପ୍ରଶାସନିକ ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଛି । ଅନ୍ୟପକ୍ଷରେ ସ୍କୁଲକୁ ବଦନାମରୁ ରକ୍ଷା କରିବା ପାଇଁ କର୍ତ୍ତୃପକ୍ଷ କଳବଳ କୌଶଳ ଖଟେଇ ଦେଇଥିବା ଭଳି ଅଭିଯୋଗ ମଧ୍ୟ ଆସିଛି । ମାମଲାରୁ ଖସିବା ପାଇଁ ଉପରସ୍ତରରୁ ଚାପ ପକାଯାଉଥିବା ବେଳେ ଗଣମାଧ୍ୟମରେ ଖବର ଚାପିବା ପାଇଁ ମଧ୍ୟ ଉଦ୍ୟମ ହୋଇଥିବା ଅଭିଭାବକମହଲରୁ ଅଭିଯୋଗ ହୋଇଛି ।
ତେବେ ଏସବୁ ଅଭିଯୋଗ ସଂକ୍ରାନ୍ତରେ ଆମେ ସ୍କୁଲ ଅଧ୍ୟକ୍ଷ ଏବଂ ସିଇଓଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ ।