ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖି କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀଙ୍କ ପ୍ରତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । କଳାବଜାରୀମାନଙ୍କୁ ସେ ସତର୍କ କରାଇବା ସହ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ଆଜି ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ।
ଅସାଧୁ ବ୍ୟବସାୟୀମାନେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖି କଳାବଜାରୀ ନ କରନ୍ତି ସେଥିପ୍ରତି ଜିଲ୍ଲାପାଳମାନେ ନଜର ରଖିବାକୁ ଚିଠିରେ କୁହାଯାଇଛି । ଆବଶ୍ୟକସ୍ଥଳେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ କରିଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଇ.ସି.ଆକ୍ଟ ୧୯୫୫ ଆଇନବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ସାଧାରଣତଃ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଅସାଧୁ ବ୍ୟବସାୟୀମାନେ ମୁନାଫା କମାଇବାର ସୁଯୋଗ ବୋଲି ଭାବିଥାନ୍ତି । ମୁନାଫାଖୋର ବ୍ୟବସାୟୀମାନେ ପନିପରିବାଠାରୁ ଆରମ୍ଭ କରି ସବୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ମହଜୁଦ କରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରନ୍ତି । ପରେ ତାହାକୁ କଳାବଜାରୀ କରି ଚଢ଼ା ଦରରେ ବିକ୍ରୀ କରିଥାନ୍ତି ।