ଭୁବନେଶ୍ୱର: ମିଶନ ଶକ୍ତି ସଚିବ ତଥା କମିସନର ଶ୍ରୀମତୀ ସୁଜାତା ଆର କାର୍ତ୍ତିକେୟନଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପଦରେ ଅବସ୍ଥାପିତ କରାଯାଇଛି । ତାଙ୍କ ଜାଗାରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ଦାୟିତ୍ୱ ଦିଆଯାଇଛି । ସୁଜାତାଙ୍କ ପାଖରେ ଅତିରିକ୍ତ ଦାୟିତ୍ୱ ଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମଧ୍ୟ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି । ଏହି ଦୁଇଟି ବିଭାଗକୁ ସେ ଅତିରିକ୍ତ ଦାୟିତ୍ୱ ଭାବେ ତୁଲାଇବେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ସଂଧ୍ୟାରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିସନଙ୍କ ନିକଟରେ ସୁଜାତାଙ୍କ ବିରୋଧରେ ଫେରାଦ ହୋଇଥିଲେ । ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ବିଜେଡି ସପକ୍ଷରେ ଭୋଟଦାତାଙ୍କୁ ପ୍ରଭାବିତ କରିବା ସହ ପଦର ଅପବ୍ୟବହାର ତଥା ସରକାରୀ କଳର ଦୂରୁପଯୋଗ କରୁଥିବା ଅଭିଯୋଗ କରିଥିଲେ । ନିର୍ବାଚନ କମିସନଙ୍କ ସ୍ୱଚ୍ଛ ଓ ନିରପେକ୍ଷ ଭାବମୂର୍ତ୍ତି ରକ୍ଷା ପାଇଁ ଶ୍ରୀମତୀ କାର୍ତ୍ତିକେୟନଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ ଦାବି କରିଥିଲେ ।
ଏହି ଅଭିଯୋଗ ପାଇଲା ମାତ୍ରେ ଅବିଳମ୍ବେ ନିର୍ବାଚନ କମିସନ ତତ୍ପରତା ଦେଖାଇ ଶ୍ରୀମତୀ କାର୍ତ୍ତିକେୟନଙ୍କୁ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।