ଭୁବନେଶ୍ୱର: କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ତାଙ୍କ ଟିକେଟ୍ ଫେରାଇ ଦେଇଛନ୍ତି । କାରଣ ହେଉଛି, ଦଳ ତାଙ୍କୁ ଫଣ୍ଡି କଲାନି । ନିଜେ ଅର୍ଥ ଯୋଗାଡ଼ କରି ନିର୍ବାଚନ ଲଢ଼ିବାକୁ କହିଲା । ଦଳର ଏହି ଆଦେଶକୁ ପାଳନ କରିବା ତାଙ୍କ ପକ୍ଷରେ ସମ୍ଭବ ନ ହେବାରୁ ଯେ ଟିକେଟ ଫେରାଇ ଦେଲେ । ନାମାଙ୍କନପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ୨ ଦିନ ଥିଲା ବେଳେ ସୁଚରିତାଙ୍କ ଏହି ନିଷ୍ପତ୍ତି କଂଗ୍ରେସ ନେତୃତ୍ୱକୁ ସଙ୍କଟରେ ପକାଇଦେଇଛି ।
ସୁଚରିତା କହିଛନ୍ତି, ବିନା ପାର୍ଟି ଫଣ୍ଡିଂରେ ନିର୍ବାଚନ ପ୍ରଚାର କରିବା ସହଜ ନୁହେଁ । ମୋତେ ସେମାନେ ନିଜେ ପାଣ୍ଠି ଯୋଗାଡ଼ କରି ନିର୍ବାଚନ ଖର୍ଚ୍ଚ କରିବାକୁ କହିଲେ । ମୁଁ ଏଥିପାଇଁ ଚେଷ୍ଟା କରି ବି ପାରିଲି ନାହିଁ । ଦ୍ୱିତୀୟରେ, ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ଯାକ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି । ମୁଁ ଏଥିରେ ଅସନ୍ତୋଷ ପ୍ରକାଶ କରି ହାଇକମାଣ୍ଡଙ୍କୁ ଜଣାଇଥିଲି । ଅନ୍ତତଃ ୪ ଟି ଜାଗାରେ ପ୍ରାର୍ଥୀ ବଦଳାଇବାକୁ ଅନୁରୋଧ କରିଥିଲି । ମାତ୍ର ସେମାନେ ଏହାକୁ ବି ଶୁଣିଲେନି ।
ସୁତରାଂ ବିନା ଦଳୀୟ ଫଣ୍ଡିଂ ଏବଂ ଦୁର୍ବଳ ପ୍ରାର୍ଥୀଙ୍କୁ ନେଇ ଲୋକସଭା ନିର୍ବାଚନ ଲଢ଼ିବା ମୋ ପାଇଁ ଅମମ୍ଭବ ହେବାରୁ ମୁଁ ଟିକେଟ ଫେରାଇବାକୁ ବାଧ୍ୟ ହେଲି ବୋଲି ସୁଚରିତା ଲେଖିଛନ୍ତି ।