ଭୁବନେଶ୍ୱର: ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ର ଆଜି ଗିରଫ ହୋଇଛନ୍ତି । ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ହୋଇଛି । ଉଭୟଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ ହୋଇଛି ।
ଜଣେ ଅସାଧୁ ସରକାରୀ ଅଧିକାରୀ ନିଜ କ୍ଷମତା ବଳରେ ବ୍ୟବସ୍ଥାକୁ କିଭଳି ଲୁଟନ୍ତି, ତାହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଏହି ଏଡିଏମ୍ ବାବୁ । ତିନି ଦିନ ଧରି ଭିଜିଲାନସ୍ ଅଧିକାରୀମାନେ ତାଙ୍କ ସମ୍ପତ୍ତି ପଛରେ ପଡ଼ିଥିଲେ ମଧ୍ୟ ସେମାନଙ୍କ କାତ ପାଉ ନଥିଲା । ବାସ୍ତବ କଥା ହେଉଛି, ବାବୁଙ୍କର ଖୋଳା ଧନଠାରୁ ପୋତା ଧନ ଅଧିକ ହୋଇଥାଇପାରେ ବୋଲି ବିଶ୍ୱାସ କରାଯାଉଛି । ଲୁଟ୍ ଅର୍ଥର ପରିଚାଳନା ପାଇଁ ପତ୍ନୀଙ୍କୁ ଭାଗିଦାର କରିଥିବା କୁହାଯାଉଛି ।
ଗତ ଦୁଇଦିନ ଧରି ଶ୍ରୀ ମହାପାତ୍ରଙ୍କର ୭ଟି ଜାଗାରେ ଭିଜିଲାନସ୍ ଚଢ଼ଉ କରି ବିପୁଳ ସମ୍ପତ୍ତି ଠାବ କରିଥିଲା । ପ୍ରାଥମିକ ଆକଳନରେ ସମ୍ପତ୍ତି ମୂଲ୍ୟ ୧୦ କୋଟିରୁ ଅଧିକ ବୋଲି କୁହାଯାଇଛି । ତାଙ୍କର ଭୁବନେଶ୍ୱର ନହରକଣ୍ଟାଠାରେ ୮୯ ଲକ୍ଷ ଟଙ୍କା ମୂଲ୍ୟର ଦୁଇମହଲା ଘର, ରସୁଲଗଡ଼ରେ ଫ୍ଲାଟ୍ ଅଛି । ଏହାବ୍ୟତୀତ ଭୁବନେଶ୍ୱର ଓ ଜଗତସିଂହପୁରରେ ୧୦ ଟି ପ୍ଲଟ୍ ଅଛି । ବାଲିଅନ୍ତାରେ ପତ୍ନୀଙ୍କ ନାଁରେ ସିମେଣ୍ଟ ଗୋଦାମ ଅଛି । ୭ ଟି ବ୍ୟାଙ୍କରେ ୧ କୋଟି ୯୦ ଲକ୍ଷ ଟଙ୍କା ଜମା ଏବଂ ୭ଟି ବୀମା ପଲିସିରେ ୧୦ ଲକ୍ଷ ଟଙ୍କା ଜମା କରିଛନ୍ତି । ତାଙ୍କ ପାଖରୁ ୩ ଲକ୍ଷ ନଗଦ ଟଙ୍କା ଏବଂ ପାଖାପାଖି ଅଧକିଲୋ ସୁନା ମିଳିଛି ।
ଏହି ଦୁର୍ନାତିଗ୍ରସ୍ତ ବାବୁଙ୍କ ଚାକିରି କାଳରେ ତାଙ୍କ ବିରୋଧରେ ଗଣ୍ଡା ଗଣ୍ଡା ଅଭିଯୋଗ ରହିଥିଲେ ମଧ୍ୟ କିଛି ଅସୁବିଧା ହୋଇନି । ବରଂ ପଦୋନ୍ନତି ସହ ଭଲ ଜାଗାରେ ପୋଷ୍ଟିଂ ପାଇଛନ୍ତି । ବନ୍ଦୋବସ୍ତ ଅଧିକାରୀ, ବିଡ଼ିଓ, ତହସିଲଦାର ଥିବା ବେଳେ ମଧ୍ୟ ତାଙ୍କ ନାଁରେ ଜମିଜମା, ଧାନକିଣା, ପାଇଖାନା ଆଦି ବଡ଼ ଦୁର୍ନୀତି ଅଭିଯୋଗ ଥିଲା । ଦୁଇ ଦୁଇ ଥର ସେ ଭିଜିଲାନସ୍ ମାମଲାରେ ଛନ୍ଦି ହୋଇଥିଲେ ମଧ୍ୟ ଚାର୍ଜସିଟ୍ ଦାଖଲ ନ ହେବାରୁ ତାଙ୍କ ଦେହରେ ମଇଳା ଲାଗି ନ ଥିଲା । ଓଲଟି ଅତିରିକ୍ତ ଜିଲ୍ଲାପାଳ ଭାବେ ପଦୋନ୍ନତି ପାଇଥିଲେ । ଚାକିରିରୁ ତାଙ୍କ ଅବସର ଆଉ ମାତ୍ର ୧୬ ଦିନ ଥିଲା ବେଳେ ଭିଜିଲାନସ୍ ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରି ଜେଲ୍ ପଠାଇଛି ।
ସୂଚନାଥାଉକି, ନିକଟରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କର ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନସ୍ । କଟକ ଓ ଆଖପାଖରେ ୪ ମହଲା, ଦୁଇମହଲାର ତିନୋଟି କୋଠା, ଚାରି ଚାରିଟା ପ୍ଲଟ୍, ୩ ଏକର ଜାଗାରେ ଫାର୍ମ ହାଉସ୍ ଅଛି । ତାଙ୍କ ସମ୍ପତ୍ତିର ମୂଲ୍ୟ ୬ କୋଟି ୭୩ ଲକ୍ଷ ହିସାବ କରାଯାଇଛି । ଭିଜିଲାନସ୍ ତାଙ୍କୁ ବାନ୍ଧିଥିବା ବେଳେ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଛି ।
ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍ ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଅମାପ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଥିଲା । ତାଙ୍କର ୭ଟି କୋଠା, ୨୫ ପ୍ଲଟ୍ । ଘରେ ନଗଦ ୩୮ ଲକ୍ଷ ଟଙ୍କା ରଖିଥିଲେ । ଭିଜିଲାନସ୍ କୁ ଦେଖି ପଡୋଶୀ ଘର ଛାତ ଉପରକୁ ଏକ ପେଟିରେ ସେଥିରୁ ୨୦ ଲକ୍ଷ ଟଙ୍କା ଫିଙ୍ଗି ଦେଇଥିଲେ । ସେହିଭଳି ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଟ ଇଞ୍ଜିନିୟର ସନ୍ତୋଷ ଦାସଙ୍କ ଘରୁ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଥିଲା । ଯାହା ଭିଜିଲାନସ୍ ଇତିହାସରେ ପ୍ରଥମ ଘଟଣା ଥିଲା ।