ଭୁବନେଶ୍ୱର: ବିଜେଡି ସହ ମେଣ୍ଟ କି ମିଳାମିଶା ନୁହେଁ । ୱାନ୍ ଟୁ ୱାନ୍ ଫାଇଟ୍ ହେବ । ରାଜ୍ୟ ବିଜେପିର ପଦାଧିକାରୀ ଓ ଜିଲ୍ଲା ସଭାପତିମାନଙ୍କ ବୈଠକରେ ଆଜି ଏହା ସ୍ପଷ୍ଟ କରିଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ନେଇ କର୍ମୀଙ୍କ ମନରେ ଲାଗି ରହିଥିବା ଦ୍ୱନ୍ଦ ଦୂର କରିବାକୁ ସେ ଦଳୀୟ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ବଂଶଲ କହିଛନ୍ତି, ୨୦୨୪ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ଏକ ଅପପ୍ରଚାର । ଏଭଳି କୌଣସି ସମ୍ଭାବନା ନାହିଁ । ବିଜେଡି ସହ ବିଜେପିର ୱାନ୍ ଟୁ ୱାନ୍ ଫାଇଟ୍ ହେବ । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏହି ଲଢ଼େଇ ହେବ । କୌଣସି ଆସନରେ ବିଜେପି ସାଲିସ କରିବ ନାହିଁ । ଜାନୁଆରୀ ୫ରୁ ଦଳୀୟ କାର୍ଯ୍ୟକ୍ରମ ଜୋରଦାର ଆରମ୍ଭ ହେବ । ୫୦% ଭୋଟ ଟାର୍ଗେଟ୍ ରେ କର୍ମୀମାନେ ଘର ଜଗିବେ । କିଛି ପରିବାରର ଦାୟିତ୍ୱ ମଧ୍ୟ ନେବେ । କେନ୍ଦ୍ର ସରକାରଙ୍କ ୧୫୭ ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ପଦାଧିକାରୀ ବୈଠକ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ବିଜେଡି ବିରୋଧରେ ଜୋରଦାର ଯୁଦ୍ଧ ଡାକରା ଦେଇଛନ୍ତି । ସେ କହିଛନ୍ତି ଜାନୁଆରୀ ୫ ରୁ ସଂଘର୍ଷ ଆରମ୍ଭ ହେବ । ଜଣେ ଲେଖାଏଁ ବିଜେପି କର୍ମକର୍ତ୍ତା କିଛି ଘରର ଦାୟିତ୍ୱ ନେବେ । । କଂଗ୍ରେସ ମଇଦାନରେ ନାହିଁ । ତେଣୁ ବିଜେଡି ସହ ୱାନ୍ ଟୁ ୱାନ୍ ଫାଇଟ୍ ହେବ । ୫୦% ଭୋଟ ହାତେଇବା ପାଇଁ ବୁଥସ୍ତରରେ ରଣନୀତି ପ୍ରସ୍ତୁତ ହୋଇସାରିଛି ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ ଯେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ସଫଳତାକୁ ନେଇ ରାଜ୍ୟ ନେତାମାନେ ପ୍ରବଳ ଉତ୍ସାହିତ ଅଛନ୍ତି । ଓଡ଼ିଶା ଦଖଲ ପାଇଁ ଦିଲ୍ଲୀରେ ବି ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ସହପ୍ରଭାରୀ ବିଜୟପାଲ ସିଂହ ତୋମାର ଏହି ରଣନୀତି ଧରି ଗତକାଲିଠାରୁ ଓଡ଼ିଶା ଆସିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ପଦାଧିକାରୀ ଓ ଜିଲ୍ଲା ସଭାପତିମାନଙ୍କର ବୈଠକ ହୋଇଥିଲା । ଆସନ୍ତାକାଲି ରବିବାର ଦିନ ସଂଯୁକ୍ତ ମୋର୍ଚ୍ଚାର ବୈଠକ ବସିବ ।