ଭୁବନେଶ୍ୱର: ୧୯୯୦ ବ୍ୟାଚ୍ ର ଆଇପିଏସ୍ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ଭାରପ୍ରାପ୍ତ ପୁଲିସ ଡିଜି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ନୂଆବର୍ଷରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ତାଙ୍କର ସୁନାମ ଅଛି । ବର୍ତ୍ତମାନ ସେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ବର୍ତ୍ତମାନର ଡିଜି ସୁନୀଲ ବଂଶଲ ଆସନ୍ତାକାଲି ଡିସେମ୍ବର ୩୧ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିବେ ।
ସୂଚନା ଥାଉକି, ପୁଲିସ ଡିଜି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ରାଜ୍ୟ ସରକାର ଭାରପ୍ରାପ୍ତ ପୁଲିସ ଡିଜି ନିଯୁକ୍ତି କରିବାକୁ ବାଧ୍ୟ ହୋଇଛନ୍ତି । ବରିଷ୍ଠତା ଭିତ୍ତିରେ ୟୁପିଏସସି ଯେଉଁ ତିନି ଜଣଙ୍କ ନାମ ସୁପାରିଶ କରିବା କଥା ତାହା ଏ ଯାଏଁ ଆସିପାରିନାହିଁ । ରାଜ୍ୟ ସରକାର ପଠାଇଥିବା ତାଲିକାରେ ଅରୁଣ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ରହିଛି ।