ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟ ପ୍ରଶାସନର ମଙ୍ଗ ଧରିଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିଭଳି ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଦୀପ ଜେନା । ୧୭ ମାସ ଧରି ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ପଦରେ ଥିବା ଶ୍ରୀ ଅସିତ୍ ତ୍ରିପାଠୀ ଗତକାଲି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସୁରେଶ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଛି ।
ଜଣେ ଦକ୍ଷ ପ୍ରଶାସକ ଭାବରେ ଶ୍ରୀ ମହାପାତ୍ର ବେଶ୍ ଜଣାଶୁଣା । ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିଜର ପ୍ରଶାସନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି । ୧୯୮୬ ବ୍ୟାଚ୍ ର ଏହି ଆଇଏଏସ୍ ଅଧିକାରୀ କଳାହାଣ୍ଡି ଜିଲ୍ଲାର ନୂଆପଡ଼ା ଉପଜିଲ୍ଲାପାଳ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨ ବର୍ଷ ପରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲେ । ୧୯୯୦ ରୁ ୧୯୯୩ ପର୍ଯ୍ୟନ୍ତ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ।
୧୯୯୩ ମସିହାରେ ନୂଆ କରି ଗଠନ ହୋଇଥିବା ଭଦ୍ରକ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ଭାବେ ଶ୍ରୀ ମହାପାତ୍ର କାର୍ଯ୍ୟ କରିଥିଲେ । କଳାହାଣ୍ଡି ଦଙ୍ଗାବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସେଠା ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିଲେ । ୧୯୯୬ ମସିହାରେ ପୁରୀ ଜିଲ୍ଲାପାଳ ଥିବା ବେଳେ ମହାପ୍ରଭୁଙ୍କ ନବକଳେବର ଯାତ୍ରା ଶାନ୍ତିଶୃଙ୍ଖଳାର ସହ କରାଇ ରେକର୍ଡ ସୃଷ୍ଟି କରିଥିଲେ । ପୁରୀ ଜିଲ୍ଲାପାଳ ଓ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରର ପ୍ରଥମ ମୁଖ୍ୟ ପ୍ରଶାସକ ଭାବେ ତାଙ୍କର କାର୍ଯ୍ୟ ବେଶ୍ ପ୍ରଶଂସନୀୟ ଥିଲା ।
ଓମଫେଡ୍ ର ପରିଚାଳନା ନିର୍ଦ୍ଦେଶକ ପଦରେ ଶ୍ରୀ ମହାପାତ୍ର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିଲେ । ସେହିଭଳି ସେସୁର ପରିଚାଳନା ନିର୍ଦ୍ଦେଶକ, ଗ୍ରୀଡ଼କୋର ପରିଚାଳନା ନିର୍ଦ୍ଦେଶକ, କେନ୍ଦ୍ରାଞ୍ଚଳ ଆରଡିସି ଭାବେ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ ଥିଲା । ୨୦୦୭ ଓ ୨୦୦୮ ରେ କନ୍ଧମାଳ ଦଙ୍ଗା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱତନ୍ତ୍ର ପଦାଧିକାରୀ ଭାବେ ପଠାଇଥିଲେ । ୨୦୧୫ ମସିହାରେ ମହାପ୍ରଭୁଙ୍କ ନବକଳେବର ପାଇଁ ତଦାରଖ ଦାୟିତ୍ୱ ଦିଆଯାଇଥିଲା ।
ଶକ୍ତି ଓ ଜଳସମ୍ପଦ ବିଭାଗରେ ପ୍ରମୁଖ ଶାସନ ସଚିବ ଥିବା ବେଳେ ତାଙ୍କ ସମୟରେ ମେଗା ଉଠା ଜଳସେଚନ ପ୍ରକଳ୍ପ ଯୋଜନା, ଗଭୀର ନଳକୂପ ଯୋଜନା, ଚେକ୍ ଡ୍ୟାମ୍ ଓ ଇକୋ ଟୁରିଜିମ୍ ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଥିବା ବେଳେ ତାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀକୁ ପଦୋନ୍ନତି ମିଳିଥିଲା । ୨୦୧୯ ଅଗଷ୍ଟ ୧୮ ତାରିଖରେ ରାଜ୍ୟ ସରକାରଙ୍କ ମୁଖ୍ୟ ଉନ୍ନୟନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ମୁଖ୍ୟ ଶାସନ ସଚିବ ପଦବୀରେ ଶ୍ରୀ ମହାପାତ୍ର ୧୪ ମାସ ଅର୍ଥାତ ୨୦୨୨ ଫେବୃଆରୀ ଯାଏ କାର୍ଯ୍ୟ କରିବେ ।