ନୂଆଦିଲ୍ଲୀ: ନୂଆ ବର୍ଷରେ ଶୁଭ ଖବର । ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅକ୍ସଫୋର୍ଡ କରୋନା ଟୀକା ‘କୋଭିସିଲଡ’ ବିଶେଷଜ୍ଞ କମିଟିର ଅନୁମତି ପାଇଛି । ୟୁକେ, ଆର୍ଜେଣ୍ଟିିନା ପରେ ତୃତୀୟ ଦେଶ ଭାବେ ଭାରତ ଏହା ବ୍ୟବହାର କରିବ । ଭାରତର ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ) ବିଶେଷଜ୍ଞ କମିଟି ଆଜି ଏହି ଅନୁମତି ଦେଇଛନ୍ତି । ଡ୍ରଗ୍ ରେଗୁଲେଟୋରୀ ଅଥରିଟିର ମୋହର ବାଜିଲା ପରେ ଦେଶରେ କରୋନା ଟୀକାକରଣଣ ଆରମ୍ଭ ହୋଇଯିବ ।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଭେଷଜ କମ୍ପାନୀ ଆଷ୍ଟ୍ରୋଜେନିକା ଦ୍ୱାରା ବିକଶିତ କୋଭିଡ୍ ଟୀକାକୁ କୋଭିସିଲଡ ନାମରେ ପ୍ରସ୍ତୁତ କରିଛନ୍ତି ପୁନେ ସେରମ ଇନଷ୍ଟିଚ୍ୟୁଟ୍ । ଯଥେଷ୍ଟ ଆଗରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଟୀକା ପ୍ରସ୍ତୁତି ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ୫ କୋଟି ଡୋଜ୍ ପ୍ରସ୍ତୁତ କରିସାରିଲାଣି ।
କୋଭିସିଲଡ ଟୀକାର ବିଶେଷତ୍ୱ ହେଉଛି ଏହାର ସାଧାରଣ ରେଫ୍ରିଜେରେଟର୍ ଉପଯୋଗୀ ତାପମାତ୍ରା । ୨ ଡିଗ୍ରୀରୁ ୮ ଡିଗ୍ରୀ ସେଲସିଅସ୍ ତାପମାତ୍ରା ଭିତରେ ଏହା ସଂରକ୍ଷିତ ରହିପାରିବ । ତେଣୁ ସାଧାରଣ ରେଫ୍ରିଜେରେଟର ରେ ଗଚ୍ଛିତ ରଖିବାରେ ଅସୁବିଧା ନାହିଁ । ଏଥିରେ ପରିବହନ ସମସ୍ୟା ମଧ୍ୟ ନାହିଁ । ଟୀକାର ଦାମ୍ ବି ସୁହାଇଲା ଭଳି । ଦୁଇଟି ଡୋଜ୍ ର ଦାମ୍ ୪୪୦ ଟଙ୍କା ରହିପାରେ ।
ସୂଚନାଯୋଗ୍ୟ, ଆସନ୍ତାକାଲିଠାରୁ ସାରା ଦେଶରେ କରୋନା ଟୀକାକରଣର ଡ୍ରାଏ ରନ୍ ଆରମ୍ଭ ହେଉଛି । ଓଡ଼ିଶାରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।