ଭୁବନେଶ୍ୱର: ‘ମନ୍ତ୍ରୀ ରେସ୍ ରେ କେବେ ନଥିଲି । ତେଣୁ ମନ୍ତ୍ରିପଦ ନ ମିଳିବାରୁ ଅସନ୍ତୁଷ୍ଟର ପ୍ରଶ୍ନ ଉଠୁନି । ୟାକୁ ନେଇ ମିଡିଆ ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ’। ଏହିଭଳି ଭାବ ଆଜି ଗଣମାଧ୍ୟମକୁ ପୁଣି ଥରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ସୁଶାନ୍ତ ସିଂହ । ଗତକାଲି ସଂଧ୍ୟାରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲା ବେଳେ ଆଜି ପୂର୍ବାହ୍ନରେ ଶଙ୍ଖ ଭବନରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା କରିଥିଲେ ।
ସୁଶାନ୍ତ କହିଛନ୍ତି ଯେ ତାଙ୍କ ବିରୋଧରେ ବିରୋଧୀ ଦଳ ଅପପ୍ରଚାର କରୁଛନ୍ତି । ଗତଥର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିପଦରୁ ହଟାଇବାକୁ ଚାହୁଁ ନ ଥିଲେ । ମାତ୍ର ସଂଗଠନ ପାଇଁ ଅଧିକ ସମୟ ଦେବାକୁ ଆଗ୍ରହ ପ୍ରକାଶ କରି ନିଜଆଡୁ ଇସ୍ତଫା ଦେଇଥିଲେ । ଏଥର ସମ୍ପ୍ରସାରଣ ବେଳେ ସେ ମନ୍ତ୍ରିପଦ ଫେରି ପାଇବା ପାଇଁ କେବେ ବି ଚାହିଁ ନଥିଲେ । ତାହା ହୋଇଥିଲେ ୨୦ ତାରିଖରେ ଦିଲ୍ଲୀରୁ ଫେରି ସିଧା ଗାଁକୁ ଯାଇ ନଥାନ୍ତେ । ମନ୍ତ୍ରିମଣ୍ଡଳ ପୁନର୍ଗଠନ ପରେ କିଛି ସମର୍ଥକ ଭାବାବେଗର ବଶବର୍ତ୍ତୀ ହୋଇ କିଛି କହିଥିଲେ । ମାତ୍ର ସେମାନଙ୍କୁ ବୁଝାଇ ଦେଇଛି ବୋଲି ସୁଶାନ୍ତ କହିଛନ୍ତି ।
କିଛି ଗଣମାଧ୍ୟମରେ ତାଙ୍କୁ ନେଇ ଭ୍ରମାତ୍ମକ ତଥ୍ୟ ପରିବେଷଣ କରାଯାଇଥିବାରୁ ସୁଶାନ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ‘ମନ୍ତ୍ରୀ ପଦ ନୁହେଁ, ସଂଗଠନ ପାଇଁ କାର୍ଯ୍ୟ କରିବାକୁ ମୁଁ ଆଗ୍ରହୀ ଥିଲି । ମୋର ଆଗ୍ରହକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଶୀର୍ବାଦ ଦେଇଛନ୍ତି । ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଛାଡ଼ି ବାକି ୯ ଟି ଜିଲ୍ଲାର ଦାୟିତ୍ୱ ବୁଝିବାକୁ ଏବେ ମୁଖ୍ୟମନ୍ତ୍ରୀ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ନିଷ୍ଠାର ସହ ପାଳନ କରିବି । ପଶ୍ଚିମ ଓଡ଼ିଶାର ୩୫ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆମେ ୩୧ରୁ ଅଧିକ ଆସନ ଏବଂ ୫ ଟି ଯାକ ଲୋକସଭା ଆସନରେ ଜିତିବାକୁ ଉଦ୍ୟମ କରିବୁ’ ବୋଲି ସୁଶାନ୍ତ କହିଛନ୍ତି ।