ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନକୁ ନେଇ ବିବାଦ ବଢ଼ିବା ସହ ରାଜନୀତି ଜୋର୍ ହୋଇଛି । କଂଗ୍ରେସ, ଆପ୍, ଟିଏମସି, ଜେଡିୟୁ ସମେତ ୨୦ ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନକୁ ବର୍ଜନ ସଂକ୍ରାନ୍ତରେ ଗତକାଲି ଏକ ମିଳତ ବିବୃତ୍ତି ଜାରି କରିଥିଲେ । ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଆଜି ଏହାର ଜବାବରେ ବିରୋଧୀ ଦଳର ଦୋମୁହାଁ ନୀତିକୁ ଦର୍ଶାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ବିରୋଧ କରିଥିବା ଦଳ ସଂସଦୀୟ ଶିଷ୍ଟାଚାର ଓ ସାମ୍ବିଧାନିକ ମୂଲ୍ୟବୋଧ ସମ୍ପର୍କରେ ପ୍ରବଚନ ଦେବା ହାସ୍ୟାସ୍ପଦ ବୋଲି କୁହାଯାଇଛି ।
ଇତିମଧ୍ୟରେ ବିଜେଡି, ୱାଇଏସଆର, ତେଲୁଗୁ ଦେଶମ୍ ପାର୍ଟି, ଶିରୋମଣି ଅକାଳୀ ଦଳ ସମେତ ୧୮ ଦଳ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି । ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ମଧ୍ୟ ଉତ୍ସବରେ ଯୋଗଦେଇପାରିବେନି ବୋଲି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରୁଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ବାଦ୍ ଦେଇ ନୂଆ ସଂସଦ ଭବନର ଉଦଘାଟନକୁ ସେମାନେ ଗ୍ରହଣ କରିପାରୁନାହାନ୍ତି । ରାଷ୍ଟ୍ରପତିଙ୍କ ପ୍ରତି ଏହା କେବଳ ଅପମାନ ନୁହେଁ, ବରଂ ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ବୋଲି ଦର୍ଶାଇ ସଂସଦରୁ ଗଣତନ୍ତ୍ରର ଆତ୍ମାକୁ ଶୋଷି ଦିଆଯାଉଛି ବୋଲି କହିଛନ୍ତି ।
ଏହି ବିବାଦ ଜାତୀୟ ରାଜନୀତିକୁ ଆଚ୍ଛନ୍ନ କରି ରଖିଥିବା ବେଳେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ଥିଲା । ଗତକାଲି ସଂଧ୍ୟାରେ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ୍ ବିବୃତ୍ତି ଜାରି କରି ସଂସଦ ଭବନ ଉଦଘାଟନରେ ବିଜେଡି ସାମିଲ ହେବ ବୋଲି ଜଣାଇଥିଲେ ।
ବିଜେଡିର ଯୁକ୍ତି ହେଲା, ଭାରତର ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ । ଭାରତର ସଂସଦ ୧୪୦ କୋଟି ଲୋକଙ୍କର ପ୍ରତିନିଧିତ୍ୱ କରୁଛି । ଭାରତୀୟ ଗଣତନ୍ତ୍ରର ପ୍ରତୀକ ଏହି ଦୁଇଟି ଯାକ ଅନୁଷ୍ଠାନର ପବିତ୍ରତା ଓ ସମ୍ମାନକୁ କ୍ଷୂର୍ଣ୍ଣ କରୁଥିବା ଯେ କୌଣସି ପ୍ରସଙ୍ଗଠାରୁ ଏହି ଦୁଇଟି ସଂସ୍ଥା ଉଧ୍ୱର୍ରେ । ଏହିପରି ପ୍ରସଙ୍ଗକୁ ନେଇ ପରବର୍ତ୍ତୀ ସମୟରେ ବିତର୍କ କରାଯାଇପାରେ । ସୁତରାଂ ଉଦଘାଟନ କାର୍ଯ୍ୟକ୍ରମରେ ବିଜେଡି ସାମିଲ ହେବ ।
ବିଜେଡିର ଏହି ନିଷ୍ପତ୍ତିକୁ ବିଜେପି ସମେତ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା ବେଳେ କଂଗ୍ରେସ କଟାକ୍ଷ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡିର ଏହା ଭଲ ନିଷ୍ପତ୍ତି । ଭାରତର ଗଣତନ୍ତ୍ର ସର୍ବ ପୁରାତନ । ବିଶ୍ୱର ପ୍ରଭାବଶାଳୀ ଗଣତନ୍ତ୍ର ମଧ୍ୟରେ ଏହା ଅନ୍ୟତମ । ଗଣତନ୍ତ୍ର ଓ ସମ୍ବିଧାନ ଦଳୀୟ ବିଚାର ଉଧ୍ୱର୍ରେ । ବିରୋଧୀ ଦଳମାନେ ବିରୋଧରୁ ନିବୃତ୍ତ ରହି ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡି-ବିଜେପି ଭାଇ ଭାଇ ବୋଲି ଏହା ପୁନର୍ବାର ପ୍ରମାଣିତ କରିଛି । ଉଭୟ ଦଳ ଜନସାଧାରଣଙ୍କୁ କେବଳ ଛଳନା କରୁଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।
ସୂଚନାଥାଉକି, ଆସନ୍ତା ୨୮ରେ ନୂଆ ସଂସଦ ଭବନ ଲୋକାର୍ପିତ ହେବ । ଗଣତନ୍ତ୍ରର ଆତ୍ମା କୁହାଯାଉଥିବା ସଂସଦ ଭବନକୁ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟନ କରା ନ ଯାଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବାକୁ ବିରୋଧୀ ଦଳ ଗ୍ରହଣ କରିନାହାନ୍ତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଉପସ୍ଥିତ ନ ରହିବା ତାଙ୍କ ପାଇଁ ଅସମ୍ମାନ ଏବଂ ଅପମାନ ବୋଲି କହିଛନ୍ତି । ପ୍ରଥମ ଥର ପାଇଁ ଜଣେ ମହିଳା ଆଦିବାସୀଙ୍କୁ ରାଷ୍ଟ୍ରପତି ଆସନରେ ବସାଇବାର ଶ୍ରେୟ ନେଉଥିବା ମୋଦୀ ସରକାରଙ୍କ ପାଇଁ ଏହା ବୁମେରାଂ ସଦୃଶ ଛିଡ଼ାହୋଇଛି ।
ଖାଲି ସେତିକି ନୁହେଁ, ନୂଆ ସଂସଦ ଭବନର ଉଦଘାଟନ ପାଇଁ ଧାର୍ଯ୍ୟ ହୋଇଥିବା ଦିନ ଏହି ବିବାଦକୁ ଆହୁରି ବଢ଼ାଇଛି । ସେଦିନ ହେଉଛି ବିନାୟକ ଦାମୋଦର ସାବରକରଙ୍କ ଜନ୍ମତିଥି । ବିଜେପି ଦୃଷ୍ଟିରେ ସେ ଦେଶପ୍ରେମୀ ହୋଇଥିଲେ ମଧ୍ୟ କଂଗ୍ରେସ ଓ ଅନ୍ୟମାନେ ତାଙ୍କୁ ଭିନ୍ନ ଦୃଷ୍ଟିରେ ବିଚାର କରନ୍ତି । ତେଣୁ ତାଙ୍କର ଜନ୍ମତିଥିକୁ ଦେଶର ନୂଆ ସଂସଦ ଭବନ ଉଦଘାଟନ ଦିନ ଭାବେ ବାଛିବା କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଙ୍କୁ ହଜମ ହୋଇନାହିଁ । ଏହା ମୋଦୀ ସରକାରଙ୍କ ସ୍ୱେଚ୍ଛାଚାରିତା ବୋଲି ସେମାନେ ବିଶ୍ୱାସ କରୁଛନ୍ତି ।
ସଂସଦ ଭବନ ଉଦଘାଟନ ବିବାଦ ଆଜି ସର୍ବୋଚ୍ଚ ନ୍ୟାୟାଳୟକୁ ଯାଇଛି । ରାଷ୍ଟ୍ରପତିଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନ ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।