ନୂଆଦିଲ୍ଲୀ: ବିପୁଳ କ୍ଷତି ଯୋଗୁଁ ବନ୍ଦ ହୋଇଥିବା କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କାରଖାନାକୁ ୧୨ ହଜାର ୧୦୦ କୋଟି ଟଙ୍କାରେ କିଣିବ ଟାଟା ଷ୍ଟିଲ୍ କମ୍ପାନୀ । ଟାଟାର ସର୍ବାଧିକ ବିଡିଂକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କେନ୍ଦ୍ର କ୍ୟାବିନେଟ୍ କମିଟି ଆଜି ମଂଜୁର ପ୍ରଦାନ କରିଛନ୍ତି । ଖୁବ୍ ଶୀଘ୍ର ଏହାର ଘରୋଇକରଣ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି ।
ଯୌଥ ଉଦ୍ୟୋଗରେ ଚାଲିଥିଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଏମସି ଏବଂ ଇପିକଲ୍ ର ୩୨.୪୭ ପ୍ରତିଶତ ଅଂଶଧନ ଥିଲା ବେଳେ ଅବଶିଷ୍ଟ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ୪ଟି ଉଦ୍ୟୋଗର ଥିଲା । ୧.୧ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଏହି ଇସ୍ପାତ କାରଖାନା ବିପୁଳ କ୍ଷତିରେ ଚାଲିବାରୁ ୨୦୨୦ ମାର୍ଚ୍ଚ ୩୦ ରୁ ବନ୍ଦ ହୋଇଯାଇଥିଲା । କମ୍ପାନୀ ଉପରେ ୬,୬୦୦ କୋଟି ଟଙ୍କାର ଋଣ ବୋଝ ରହିଛି । ସେଥିମଧ୍ୟରେ ପ୍ରମୋଟରମାନଙ୍କର ୪,୧୧୬ କୋଟି ଥିବା ବେଳେ ବ୍ୟାଙ୍କ ଋଣ ୧,୭୪୧ କୋଟି ରହିଛି ।
କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ବର୍ଷେ ତଳେ ନିଷ୍ପତ୍ତି ନେଇଥିଲେ । ୨୦୨୧ ଜାନୁଆରୀ ୨୫ ତାରିଖରେ ଏକ୍ସପ୍ରେସନସ୍ ଅଫ ଇଣ୍ଟ୍ରେଷ୍ଟ୍ ଆହ୍ୱାନ କରାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଟାଟା, ଜିନ୍ଦଲ ଏବଂ ନାଲୱା ଷ୍ଟିଲ୍ କମ୍ପାନୀ ଏଥିରେ ଅଂଶଗ୍ରହଣ କରିଥିଲେ । ତେବେ ଟାଟା ଷ୍ଟିଲ୍ ୧୨, ୧୦୦ କୋଟି ଟଙ୍କାରେ ହାଏଷ୍ଟ୍ ବିଡର୍ ବା ଏଚ-୧ଭାବେ ନୀଳାଚଳ ଇସ୍ପାତ କାରଖାନା କିଣିବାକୁ ଯୋଗ୍ୟତା ହାସଲ କରିଛି । ଭାରତରେ ସରକାରୀ ଇସ୍ପାତ ଉଦ୍ୟୋଗର ଘରୋଇକରଣରେ ନୀଳାଚଳ ଇସ୍ପାତ ନିଗମ ପ୍ରଥମ ବୋଲି କୁହାଯାଉଛି ।