ଭୁବନେଶ୍ୱର: ଫେବ୍ରୁଆରୀ ମାସ ପାଇଁ ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନ୍ ଆସିଛି । କିଛି କ୍ଷେତ୍ରରେ କରୋନା କଟକଣାକୁ କୋହଳ କରାଯାଇଛି । ଏଣିକି ସହରାଞ୍ଚଳରେ ରାତି ୯ ଟା ପରିବର୍ତ୍ତେ ପୂର୍ବଭଳି ରାତି ୧୦ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଆସନ୍ତାକାଲିଠାରୁ ରାତି ୧୦ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ରେ କୁହାଯାଇଛି ।
ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ବଳବତ୍ତର ରହିବ । ତେବେ ମାଘସପ୍ତମୀ ବୁଡ଼ ଓ ସରସ୍ୱତୀ ପୂଜା ପାଇଁ କଟକଣାରେ ସାମାନ୍ୟ କୋହଳ କରାଯାଇଛି । ବିନା ଭକ୍ତରେ ମାଘ ସପ୍ତମୀ ଓ ମାଘ ମେଳାକୁ ଅନୁମତି ଦିଆଯାଇଥିବା ବେଳେ ନଦୀ ଘାଟ ଓ ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ କୁ ବାରଣ କରାଯାଇଛି । ତେବେ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ । ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କେଉଁଠି ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇନି । ବରଂ ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ ପାଇଁ ପରାମର୍ଶ ଦିଆଯାଇଛି । ସରସ୍ୱତୀ ପୂଜାରେ ସମୂହ ଭୋଜି ଓ ମନୋରଂଜନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ।
ଫେବ୍ରୁଆରୀରେ ସରକାରୀ ଅଫିସ୍ ଗୁଡ଼ିକରେ ଶତି ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ । ସମସ୍ତେ କୋଭିଡ୍ ପ୍ରୋଟୋକଲ ମାନି କାର୍ଯ୍ୟ କରିବାକୁ କୁହାଯାଇଛି ।