ନୂଆଦିଲ୍ଲୀ/ଭୁବନେଶ୍ୱର: ଲଗାତର ଦୁଇବର୍ଷ ଧରି ଆୟକର ସ୍ଲାବ୍ ରେ କେନ୍ଦ୍ର ସରକାର ପରିବର୍ତ୍ତନ ଆଣିଲେ ନାହିଁ । ଆୟକର ସ୍ଲାବ୍ ଯାହା ଥିଲା ସେୟା ରହିଲା । ଆଜି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସ୍ଲାବ୍ ସମ୍ପର୍କରେ ପଦୁଟିଏ କହିନାହାନ୍ତି । ତେବେ ଆୟକର ସୁଧାର ପାଇଁ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି । ଏଥିରେ ଆଇଟି ରିଟର୍ଣ୍ଣ ସୁଧାରିବାକୁ ଟିକସଦାତାଙ୍କୁ ୨ ବର୍ଷ ମହଲତ ଦିଆଯାଇଛି । ଆୟ ଘୋଷଣାରେ ତ୍ରୁଟି କଲେ ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ଅଦାଲତି ଝାମେଲାରୁ ବର୍ତ୍ତିବା ପାଇଁ ଟିକସଦାତାଙ୍କୁ ଏହି ସୁଯୋଗ ଦିଆଯାଉଥିବା ସୀତାରମଣ କହିଛନ୍ତି । ସେହିଭଳି ଆୟକର ଦାଖଲରେ ଦିବ୍ୟାଙ୍ଗଙ୍କୁ ରିହାତି ଦିଆଯାଇଛି ।
ଅନ୍ୟପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ଏନପିଏସ୍ ଟାକ୍ସ ଡିଡକ୍ସନ୍ ଲିମିଟ୍ କୁ ସମାନ କରାଯାଇଛି । ଏନପିଏସ ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କଠାରୁ କଟିବ ୧୪% । ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ୧୪% ଏବଂ ରାଜ୍ୟ କର୍ମଚାରୀଙ୍କ ୧୦% କଟୁଥିଲା । ସେହିଭଳି କର୍ପୋରେଟ ସରଚାର୍ଜ ୧୨% ରୁ ୭% ହ୍ରାସ୍ କରାଯାଇଥିବା ବେଳେ କୋଅପରେଟିଭ୍ ସୋସାଇଟି ଟ୍ୟାକ୍ସ ୧୮% ରୁ ୧୫% କୁ ହ୍ରାସ କରାଯାଇଛି ।
ବଜେଟ୍ ରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ୨୦୨୨-୨୩ ରେ ଆରମ୍ଭ ହେବ ଡିଜିଟାଲ୍ କରେନ୍ସି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ଆରମ୍ଭ କରାଯିବ ।
୩ ବର୍ଷରେ ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ କାର୍ଯ୍ୟକ୍ଷମ ହେବ । ଚାଷୀଙ୍କୁ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ, ୫ଟି ନୂଆ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବଜେଟ୍ ରେ ଅର୍ଥ ବ୍ୟବସ୍ଥା ଏବଂ ୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ ରହିଥିବା ସୀତାରମଣ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
୨୦୨୧୨-୨୩ ରେ ୩ କୋଟି ୮୦ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ ହେବ । ୮୦ ଲକ୍ଷ ପିଏମ୍ ଆବାସ ପାଇଁ ୪୮ ହଜାର କୋଟି ଏବଂ ନର୍ଥ ଇଷ୍ଟ ପାଇଁ ନୂଆ ଯୋଜନା ପିଏମ୍ ଡେଭଲପମେଣ୍ଟ ସ୍ମିମ୍ ଆରମ୍ଭ ହେବ ।
ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ ହେବ । ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ୨୦୦ ଚ୍ୟାନେଲ ହେବ ।
୨୦୨୨-୨୩ରେ ମୋଟ ୩୯.୫୫ ଲକ୍ଷ କୋଟି ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । କ୍ୟାପିଟାଲ୍ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି । ଏହା ମୋଟ ଜିଡ଼ିପିର ୪% ।
ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି । ୨୦୧୪ ରୁ ଆମ ସରକାର ଲୋକଙ୍କ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଛି । ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚା ଯାଉଛି । ସ୍ୱାସ୍ଥ୍ୟ ଭିତ୍ତି, ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି । ୧୧୨ ଆକାାଂକ୍ଷୀ ଜିଲ୍ଲା ଲକ୍ଷ୍ୟରେ ୯୫% ସଫଳ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
କ୍ରମାଗତ ଚତୁର୍ଥ ଥର ପାଇଁ ଆଜି ସଂସଦରେ ଶ୍ରୀମତୀ ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ଏଥର ତାଙ୍କ ବଜେଟ୍ ଭାଷଣ ଅପେକ୍ଷାକୃତ ସଂକ୍ଷିପ୍ତ ଥିଲା । ଦେଢ଼ ଘଣ୍ଟାରେ ସରିଥିଲା ପେପରଲେସ୍ ବଜେଟ୍ ଭାଷଣ ।