ଭୁବନେଶ୍ୱର: ଗରିବ ଓ ମଧ୍ୟବିତ୍ତଙ୍କୁ ପ୍ରଭାବିତ କରୁଥିବା ଦରଦାମ ବୃଦ୍ଧି ରୋକିବାକୁ ଏଥରର ବଜେଟ୍ ରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଗରିବଙ୍କ ଏହି କଷ୍ଟକୁ ଆହୁରି ଅସହ୍ୟ କରିଛି ଏଲପିଜି ସବସିଡି ହ୍ରାସ୍ । ଘରୋଇ ଅର୍ଥନୀତି ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ିବ । ମନରେଗା ହ୍ରାସ ମଧ୍ୟ ଗରିବଙ୍କୁ ବେଶୀ ବାଧିବ । ଗ୍ରାମୀଣ ଗୃହ ନିର୍ମାଣ ଏବଂ ପ୍ରାକୃତିକ ବିପର୍ଯ୍ୟୟ କୋଳରେ ଥିବା ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ରାଜ୍ୟବାସୀଙ୍କ ଦାବିକୁ ମଧ୍ୟ ବଜେଟ୍ ରେ ଉପେକ୍ଷା କରାଯାଇଛି ।
କେନ୍ଦ୍ର ବଜେଟ୍ ଉପରେ ଆଜି ଏହି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲା ବେଳେ ଓଡ଼ିଶା ପ୍ରତି ବଜେଟ୍ ରେ ସେଭଳି ଧ୍ୟାନ ଦିଆଯାଇ ନ ଥିବାରୁ ମୁଖ୍ୟମନ୍ତ୍ରୀ ସାମଗ୍ରିକ ଭାବେ ଖୁସି ନାହାନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାମାରୀ ବେଳେ ମନରେଗା ହ୍ରାସ ଗରିବ ଲୋକଙ୍କୁ ସାହାଯ୍ୟ କରିବ ନାହିଁ । ସେହିଭଳି ଏନଏଫଏସଏ ଅଧୀନରେ ଖାଦ୍ୟ ସବସିଡି ହ୍ରାସ ଚାଷୀମାନଙ୍କୁ ଗୁରୁତର ଅସୁବିଧାରେ ପକାଇବ । ଏହାର ପୁନର୍ବିଚାର ଆବଶ୍ୟକ । ମହାମାରୀ ସମୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିକାଶରେ ସହାୟକ ହେବ । ତେବେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବଜେଟ୍ ବ୍ୟୟବରାଦ ହ୍ରାସ୍ କରାଯାଇଛି । କୃଷି ଓ କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମାଞ୍ଚଳ ବିକାଶ, ମହିଳା ଏବଂ ଶିଶୁ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟୟବରାଦ ହ୍ରାସ୍ ହୋଇଛି । ମହାମାରୀ ବେଳେ ବ୍ୟୟବରାଦ ହ୍ରାସ୍ ବିକାଶ ଉପରେ ପ୍ରଭାବ ପକାଇବ । ଏହାଦ୍ୱାରା ଗରିବ ଲୋକ ବେଶୀ ପ୍ରଭାବିତ ହେବେ ।
ବଜେଟ୍ ରେ ଦରଦାମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇନାହିଁ । ଏଲପିଜି ସବସିଡି କମି ଥିବାରୁ ମହିଳା ଓ ପରିବାର ଅର୍ଥନୀତି ପ୍ରଭାବିତ ହେବ । ଗ୍ରାମ୍ୟ ଗୃହ ଯୋଜନାରେ ଓଡ଼ିଶାକୁ ଅବହେଳା କରାଯିବା ଆମକୁ ବ୍ୟଥିତ କରିଛି । ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।
କେନ୍ଦ୍ରୀୟ ଟିକସଗୁଡ଼ିକର ୨୦ ପ୍ରତିଶତରୁ ଅଧିକ ସେସ୍ ଏବଂ ସରଚାର୍ଜ ଆଦାୟ ମାଧ୍ୟମରେ ସଂଗ୍ରହ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିନାହାନ୍ତି । ଏହା ସମବାୟ ସଂଘୀୟ ବ୍ୟବସ୍ଥାର ବିରୋଧୀ ବୋଲି କହିଛନ୍ତି ।
ଜଳ ଜୀବନ ମିଶନ୍ ଅଧୀନରେ ପିଏମଏୱାଇ ଆବଣ୍ଟନ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଦାବିକୁ ଅବହେଳା କରାଯାଇଥିବା ବେଳେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହାକୁ ବିଚାର କରାଯାଇଛି । ଓଡ଼ିଶାବାସୀ ଏଥିରେ ଆଶ୍ଚର୍ଯ୍ୟ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ବଜେଟ୍ ରେ ଫୋକସ୍ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ପୃଷ୍ଟିକର ସୁରକ୍ଷା ତଥା କୃଷକଙ୍କ ଆୟ ବୃଦ୍ଧିରେ ଓଡ଼ିଶା ମିଲେଟ ମିଶନ୍ ଏକ ଯୁଗାନ୍ତକାରୀ ପଦକ୍ଷେପ । ମିଳିତ ଜାତିସଂଘ ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଘୋଷଣା କରିଛି । କେନ୍ଦ୍ର ବଜେଟ୍ ରେ ଏହାର ଗୁରୁତ୍ୱକୁ ସ୍ୱୀକୃତି ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି ।