ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ଏମଡି ବିନୋଦ କୁମାରଙ୍କୁ ରାଜ୍ୟ ସରକାର ଚାକିରିରୁ ବିଦା କରିଛନ୍ତି । ବାବୁଙ୍କ ବିରୋଧରେ ଥିବା ମାଳ ମାଳ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି ।
ବିନୋଦ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ । ଯାହାଦ୍ୱାରା ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ ଶ୍ରୀ କୁମାରଙ୍କ ବିରୋଧରେ ଓଡିଶା ସରକାର ୨୭ଟି ଭିଜିଲାନ୍ସ କେସ୍ ଦାୟର କରିଥିଲେ । ସେଥିମଧ୍ୟରୁ ଦୁଇଟି କେସ୍ରେ ଶ୍ରୀ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ସୂଚନାଥାଉକି, ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କିଛି ମାସ ତଳେ ଆଇଏଫଏସ ଅଫିସର ଅଭୟ କାନ୍ତ ପାଠକଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବରଖାସ୍ତ କରାଯାଇଥିଲା ।