ଭୁବନେଶ୍ୱର: ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଥର ବଜେଟରେ ରାଜ୍ୟର ସ୍ୱାର୍ଥକୁ ଅଗ୍ରାଧିକାର ଦେଇଛନ୍ତି । ୨୦୨୨-୨୩ ରେଳ ବଜେଟ୍ ରେ ଓଡ଼ିଶାକୁ ମିଳିଛି ରେକର୍ଡ ୯୭୩୪ କୋଟି ଟଙ୍କା ଅନୁଦାନ । ଗତଥର ରାଜ୍ୟକୁ ମିଳିଥିଲା ସର୍ବାଧିକ ୬୯୯୫ କୋଟି ଟଙ୍କା । ୨୮୯ କିମି ବିଶିଷ୍ଟ ବହୁ ଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ବଜେଟ୍ ରେ ରହିଛି ୮୯୧ କୋଟି ଟଙ୍କାର ଅନୁଦାନ । ଓଡ଼ିଶାକୁ ରେଳ ଅନୁଦାନ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଚଳିତ ବଜେଟ୍ ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ପାଇଁ ୮୯୧ କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ପାଇଁ ୪୭୫ କୋଟି, ହରିଦାସପୁର-ପାରାଦ୍ୱୀପ ପ୍ରକଳ୍ପ ପାଇଁ ୮୫ କୋଟି, ତାଳଚେର-ବିମଳାଗଡ଼ ପ୍ରକଳ୍ପ ପାଇଁ ୨୫୦ କୋଟି, ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ୧୩ କୋଟି ୮୦ ଲକ୍ଷ, ଜୟପୁର- ନବରଙ୍ଗପୁର ପ୍ରକଳ୍ପ ପାଇଁ ୮୧ କୋଟି, ନୌପଡ଼ା-ଗୁଣପୁର-ଥେରୁବାଲି ପ୍ରକଳ୍ପ ପାଇଁ ୧୦ କୋଟି, ଖୋର୍ଦ୍ଧା-ବାରଙ୍ଗ(ତୃତୀୟ ଲାଇନ) ପାଇଁ ୧୬୪ କୋଟି, ସମ୍ବଲପୁର-ଟିଟିଲାଗଡ଼ ପ୍ରକଳ୍ପ ପାଇଁ ୭୯ କୋଟି ୫୦ ଲକ୍ଷ, ବାଂଶପାଣି-ଯଖପୁରା ପ୍ରକଳ୍ପ ପାଇଁ ୩୦୦ କୋଟି, ସମ୍ବଲପୁର-ତାଳଚେର ପ୍ରକଳ୍ପ ପାଇଁ ୧୭୨ କୋଟି ୫୦ ଲକ୍ଷ, ଭଦ୍ରକ-ନିର୍ଗୁଣ୍ଡି(ତୃତୀୟ ଲାଇନ) ପାଇଁ ୩୫୧ କୋଟି ଟଙ୍କା ମଂଜୁର ହୋଇଛି ।
ସୂଚନାଯୋଗ୍ୟ, ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ରେଳ ବଜେଟ୍ ରେ ପ୍ରତିବର୍ଷ ଓଡ଼ିଶାକୁ ମିଳୁଥିଲା ହାରାହାରି ୮୦୦ କୋଟି ଟଙ୍କା । ୨୦୧୪- ୧୫ ରେ ଏହି ରାଶି ୪୭୦୦ କୋଟିକୁ ବୃଦ୍ଧି ପାଇଥିଲା । ପର୍ଯ୍ୟାୟକ୍ରମେ ତାହା ବୃଦ୍ଧି ପାଇ ଗତ ୨୦୨୦-୨୧ ବଜେଟ୍ ରେ ଓଡ଼ିଶାକୁ ରେଳ ଅନୁଦାନ ୫,୭୫୯ କୋଟି ଏବଂ ୨୦୨୧-୨୨ ରେ ୬୯୯୫.୫୮ କୋଟି ଟଙ୍କା ମିଳିଥିଲା ।
ଗତଥର ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ୧ ହଜାର ୫୦ କୋଟି ଟଙ୍କା ମଂଜୁର ହୋଇଥିଲା ବେଳେ ଏଥର ତାହା ହ୍ରାସ୍ ପାଇଛି । ମଂଜୁର ହୋଇଛି ୮୯୧ କୋଟି ।