ଭୁବନେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆସିଛି । ନୂଆ ଅଧ୍ୟକ୍ଷ ନିଯୁକ୍ତି ନେଇ ଲବି ଆରମ୍ଭ ହୋଇଥିଲା ବେଳେ ପୂର୍ବ ଦୁର୍ନୀତ ଉପରୁ ପରଦା ହଟାଇବା ପାଇଁ ଛାତ୍ର ମହଲରୁ ଦାବି ହୋଇଛି । ଏହାକୁ ନେଇ କଲେଜରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।
ଛାତ୍ର ମହଲର ଅଭିଯୋଗ ଅନୁଯାୟୀ, କଲେଜରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି । ମାତ୍ର ତାହାକୁ ସାର୍ବଜନୀନ କରା ନ ଯାଇ ଲୋକସେବା ଭବନରେ ଚାପି ଦିଆଯାଇଛି । ଅଡିଟ୍ ରିପୋର୍ଟ ପ୍ରକାଶ କରିବାକୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ତାହା ସାର୍ବଜନୀନ ନ କରିବାର କାରଣ ଅସ୍ପଷ୍ଟ ରହିଛି ।
ଦୁର୍ଭାଗ୍ୟ ଯେ ଯେଉଁ ଅଧ୍ୟକ୍ଷଙ୍କ ସମୟରେ ଦୁର୍ନୀତି ହୋଇଥିବାର ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି, ତାଙ୍କୁ ପୁନର୍ବାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ଉଦ୍ୟମ ଚାଲିଛି । କଲେଜ ଗଭର୍ଣ୍ଣଂ ବଡି ସଭାପତି ଥିବା ଭୁବନେଶ୍ୱର ଉପଜିଲ୍ଲାପାଳଙ୍କୁ ଏ ନେଇ ଅନ୍ଧାରରେ ରଖାଯାଇଛି ।
ଇତିମଧ୍ୟରେ କଲେଜ ଦୁର୍ନୀତିକୁ ନେଇ ଭିଜିଲାନସ୍ ର ଦ୍ୱାରସ୍ଥ ହେବାକୁ କିଛି ପୁରାତନ ଛାତ୍ର ମନସ୍ଥ କରିଛନ୍ତି । ଏଥିସହ ଆର୍ଥିକ ଅନିୟମିତତାରେ ସଂପୃକ୍ତ କୌଣସି ବ୍ୟକ୍ତି ବିଶେଷଙ୍କୁ ଅଧ୍ୟକ୍ଷ ନ କରିବାକୁ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ । ଏ ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଅବଗତ କରାଯାଇ ଅଡିଟ୍ ରିପୋର୍ଟ ତୁରନ୍ତ ପ୍ରକାଶ କରିବାକୁ ଦାବି କରାଯିବ ବୋଲି ସେମାନେ ଜଣାଇଛନ୍ତି ।