– କିଟ୍ ଆଗରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଆନ୍ଦୋଳନ
– ବିଧାନସଭାରେ ତାତି, ନେପାଳରେ ଉଦବେଗ
– ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କଲେ ରାଜ୍ୟ ସରକାର
– ଦୁଃଖ ପ୍ରକାଶ କଲେ କିଟ୍ କର୍ତ୍ତୃପକ୍ଷ, କ୍ଷମା ମାଗିଲେ
– ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
– ଗିରଫ ୩ ନିର୍ଦ୍ଦେଶକ,୨ ସୁରକ୍ଷା କର୍ମୀଙ୍କୁ ଜାମିନ୍
ଭୁବନେଶ୍ୱର: ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ କିଟ୍ ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହୋଇଥିବା ଅଶାନ୍ତି ଭୟାନକ ରୂପ ନେଇଛି । ଆନ୍ଦୋଳନକାରୀ ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ ବଳପ୍ରୟୋଗ କରି କ୍ୟାମ୍ପସରୁ ଘଉଡ଼ାଇବା ଉଦ୍ୟମ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି । ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତି କୁ ପ୍ରତ୍ୟାହାର କରି କର୍ତ୍ତୃପକ୍ଷ ଦୁଃଖପ୍ରକାଶ କରିବା ଏବଂ କୁଳପତି କ୍ଷମା ମାଗିବା ତଥା ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଦୁଇ ସୁରକ୍ଷା କର୍ମୀଙ୍କୁ ଚାକିରିରୁ ବହିଷ୍କାର ଏବଂ ଦୁର୍ବ୍ୟବହାର କରିଥିବା ଲେଡିଜ୍ ହଷ୍ଟେଲ୍ ୱାର୍ଡନ୍ ଙ୍କୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ଅଶାନ୍ତି କମିନାହିଁ । ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କୁ ନ୍ୟାୟ ଦାବିରେ କିଟ୍ ସାମନାରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିବା ବେଳେ ନବ ନିର୍ମାଣ ଛାତ୍ର ସଂଗଠନ ସେଥିରେ ସାମିଲ ହୋଇଛି । ରାଜ୍ୟ ବିଧାନସଭାରେ କିଟ୍ ତାତି ଦେଖିବାକୁ ମିଳିଛି । ରାଜ୍ୟ ସରକାର ଘଟଣାରେ ହସ୍ତକ୍ଷେପ କରି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି । ଘଟଣାକୁ ନେଇ ନେପାଳରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
ରବିବାର ରାତିରେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀ ନେପାଳର ପ୍ରକୃତି ଲାମସା(୨୦) ତାଙ୍କ ହଷ୍ଟେଲ୍ ରୁମ୍ ରେ ଆତ୍ମହତ୍ୟା କରିଥିଲେ । ତାଙ୍କର ପୁରୁଷ ବନ୍ଧୁଙ୍କ ଦ୍ୱାରା ଧୋକ୍କା ଖାଇ ଫ୍ୟାନ୍ ରେ ଝୁଲି ପଡ଼ିଥିବା ଜଣାପଡ଼ିଥିଲା । ହଷ୍ଟେଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ପୁଲିସକୁ ଏହି ଖବର ଦେଇଥିଲେ । ଧୋକାବାଜ ଛାତ୍ରକୁ ତୁରନ୍ତ ଗିରଫ ଦାବିରେ ଶତାଧିକ ନେପାଳ ଛାତ୍ରଛାତ୍ରୀ ଏକାଠି ହୋଇ ନାରାବାଜି ଆରମ୍ଭ କରିଦେଇଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରବଳ ଗାଳିମନ୍ଦ କରିବା ସହ କ୍ୟାମ୍ପସ୍ ରେ ଭଙ୍ଗାରୁଜା କରିଥିଲେ ଏବଂ ରାସ୍ତା ଉପରକୁ ଆସି ଅବରୋଧ କରିଥିଲେ ।
ସୋମବାର ସକାଳ ପର୍ଯ୍ୟନ୍ତ ଏଭଳି ଅଶାନ୍ତ ଲାଗି ରହିଥିଲା ଏବଂ ଛାତ୍ରଛାତ୍ରୀମାନେ ସେମାନଙ୍କ ଜିଦ୍ ରୁ ହଟି ନ ଥିଲେ । ଫଳରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନେପାଳ ଛାତ୍ରଛାତ୍ରଙ୍କ ପାଇଁ ସାଇନ୍-ଏ-ଡାଇ ଘୋଷଣା କରି ତୁରନ୍ତ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେମାନଙ୍କୁ ଜୋରଜବରଦସ୍ତ ଏକ ବସ୍ ଦ୍ୱାରା କଟକ ନିଆଯାଇ ରେଳଷ୍ଟେସନ୍ ରେ ଛଡ଼ାଯାଇଥିଲା ।
ତେବେ ଅପରାହ୍ନରେ କର୍ତ୍ତୃପକ୍ଷ ସାଇନ୍-ଏ-ଡାଇ କୁ ପ୍ରତ୍ୟାହାର କରିନେଇଥିଲେ ଏବଂ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ଫେରି କ୍ଲାସ୍ ରେ ଯୋଗଦେବାକୁ ଅପିଲ୍ କରିଥିଲେ । ଏହି ମର୍ମରେ ସଂଧ୍ୟାରେ ପୁନର୍ବାର ଏକ ନୋଟିସ୍ ଜାରି କରି ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ଫେରି ଆସି ପାଠପଢ଼ାରେ ମନୋନିବେଶ କରିବାକୁ ଅନୁରୋଧ କରାଯାଇଥିଲା । ଏହାକୁ ଦୁର୍ଭାଗ୍ୟଜନକ ଓ ଅପ୍ରତ୍ୟାଶିତ ଘଟଣା କହି ମୃତ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ।
ଇତିମଧ୍ୟରେ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଧୋକାବାଜ୍ ପ୍ରେମିକଙ୍କୁ ଗତକାଲି ଇନଫୋସିଟି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ପ୍ରଥମରୁ ନେପାଳ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା କର୍ମୀଙ୍କ ମାଡ଼ ଏବଂ ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଇ ଭଳି ଅମାନବୀୟ ନିଷ୍ପତ୍ତି ‘କିଟ୍’ କୁ ଅସୁବିଧାରେ ପକାଇ ଦେଇଛି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପାନେ ଦେବାକୁ ସୁଯୋଗ ଉଣ୍ଡିଥିବା ପ୍ରଭାବଶାଳୀମାନେ ଏହି ଘଟଣାର ଭରପୂର ଫାଇଦା ନେଇଛନ୍ତି । ସେମାନଙ୍କ ଗୋଟିଚାଳନା ଯୋଗୁଁ ମାମଲା ଅଧିକରୁ ଅଧିକ ଜଟିଳ ହୋଇଥିବା କୁହାଯାଉଛି ।
ଭୁବନେଶ୍ୱରରୁ ଆରମ୍ଭ କରି ନେପାଳ ପର୍ଯ୍ୟନ୍ତ କିଟ୍ ତାତି ଲମ୍ବି ଯାଇଛି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣାକୁ ନିନ୍ଦା କରି ସେଠାରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଅଚ୍ୟୁତ ସାମନ୍ତଙ୍କ ପୂର୍ବ ଦଳ ବିଜେଡି ସମେତ ବିଜେପି ଏବଂ କଂଗ୍ରେସ ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ କିଟ୍ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ବିରୋଧୀ ଦଳର ଉପମୁଖ୍ୟ ସଚେତକ ପ୍ରତାପ ଦେବ, ବିଜେପି ବିଧାୟକ ବାବୁ ସିଂ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଘଟଣାକୁ ନିନ୍ଦା କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି । ସେଥିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ, ଏବଂ ଉଚ୍ଚଶିକ୍ଷା ବିଭାଗର କମିସନର ତଥା ସଚିବ ସଦସ୍ୟ ଅଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ନେପାଳୀ ଛାତ୍ରଛାତ୍ରୀଙ୍କୁ ଶୀଘ୍ର କ୍ୟାମ୍ପସ୍ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନେପାଳୀ ଛାତ୍ରଛାତ୍ରୀ କେଉଁଠି ଅଛନ୍ତି ବୋଲି କିଟ୍ କର୍ତ୍ତୃପକ୍ଷଙ୍କଠାରୁ ଜବାବ ମାଗିଛନ୍ତି ।
ସେପଟେ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଏବଂ ଜୋରଜବରଦସ୍ତ କଟକ ରେଳଷ୍ଟେସନ୍ ରେ ଛାଡ଼ିବା ଘଟଣାରେ ଇନଫୋସିଟି ପୁଲିସ ଆଜି ୫ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ କିଟ୍ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରଶାସନିକ ନିର୍ଦ୍ଦେଶକ ପ୍ରତାପ ଚମ୍ପତ୍ତି, ହଷ୍ଟେଲ ନିର୍ଦ୍ଦେଶକ ସୁଧୀର ରଥ ଏବଂ ଦୁଇ ସୁରକ୍ଷା କର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରା । ତେବେ ସେମାନଙ୍କୁ କୋର୍ଟରୁ ଜାମିନ୍ ମିଳିଯାଇଛି ।
କ୍ଷମା ମାଗିଲେ କିଟ୍ କର୍ତ୍ତୃପକ୍ଷ
ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତି ପାଇଁ କିଟ୍ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହିତ କ୍ଷମା ପ୍ରାର୍ଥନା କରିଛନ୍ତି । ଅନ୍ୟପକ୍ଷରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼, ଧମକ ଏବଂ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
କିଟ୍ ଘଟଣାରେ କ୍ଷମାପ୍ରାର୍ଥନା କରି କୁଳପତି ପ୍ରଫେସର ଶରଣଜିତ୍ ସିଂ ଆଜି ଏକ ଚିଠି ଜାରି କରିଛନ୍ତି । ୧୬ ତାରିଖ ରାତିରେ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କର ଆତ୍ମହତ୍ୟାକୁ ନେଇ କ୍ୟାମ୍ପସ୍ ରେ ଯାହା ଘଟିଗଲା ତାହା ଦୁର୍ଭାଗ୍ୟଜନକ ଓ ଅପ୍ରତ୍ୟାଶିତ ଥିଲା । ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ ପ୍ରତି ଆମର କିଛି ଅଧିକାରୀ ଯେଭଳି ଦୁର୍ବ୍ୟବହାର ପ୍ରଦର୍ଶନ କଲେ ସେଥିପାଇଁ ଆମେ ଭୀଷଣ ଦୁଃଖିତ । ସେମାନଙ୍କର ଆଚରଣ ଏବଂ ଦାୟିତ୍ୱହୀନତାକୁ ଆମେ ନିନ୍ଦା କରୁଛୁ । ନିଜର ଆଚରଣ ପାଇଁ ସେମାନେ ନିଜେ ମଧ୍ୟ କ୍ଷମା ମାଗିଛନ୍ତି । ଏହି ଘଟଣା ପାଇଁ ଆମେ ସେମାନଙ୍କ ପକ୍ଷରୁ ମଧ୍ୟ କ୍ଷମା ମାଗୁଛୁ । ସଂପୃକ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।
କୁଳପତି କହିଛନ୍ତି ଯେ ଆମେ ଆମର ସବୁ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଉ ଏବଂ କେବେ ବି କାହାରିକୁ ଅସମ୍ମାନ କରିନାହୁଁ । କିଟ୍ ରେ ପାଠ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଉତ୍ତମ ଭବିଷ୍ୟତ ନିମନ୍ତେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବଦ୍ଧ ପରିକର । ନେପାଳୀ ଛାତ୍ରଛାତ୍ରୀମାନେ ଭିନ୍ନ ନୁହଁନ୍ତି । ସେମାନେ କିଟ୍ ପରିବାରର ସଦସ୍ୟ । ଭାରତ ଏବଂ ବିଶ୍ୱର ଅନ୍ୟ ରାଷ୍ଟ୍ର ଭଳି ନେପାଳ ନାଗରିକଙ୍କ ପ୍ରତି ଆମର ସମାନ ଭଲ ପାଇବା ଓ ଶ୍ରଦ୍ଧା ରହିଛି ବୋଲି କୁଳପତି କହିବା ସହ ନେପାଳୀ ଛାତ୍ରଛାତ୍ରୀମାନେ ନିୟମିତ କ୍ଲାସ୍ ରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ।
ପୂର୍ବରୁ ଆଜି କିଟ୍ କର୍ତ୍ତୃପକ୍ଷ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଦୁଇ ସୁରକ୍ଷା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଥିଲେ । ଏଥିସହ ଆନେ୍ଦାଳନରତ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଲେଡିଜ୍ ହଷ୍ଟେଲର ଦୁଇ ୱାର୍ଡେନ୍ ଜୟନ୍ତୀ ନାଥ(ଯୁଗ୍ମ ନିର୍ଦ୍ଦେଶକ) ଓ ମଞ୍ଜୁଶା ପାଣ୍ଡେ(ଆସୋସିଏଟ୍ ପ୍ରଫେସର) ଏବଂ ଅର୍ନ୍ତଜାତୀୟ ଲୋକସମ୍ପର୍କ ଅଫିସ୍ ର ପ୍ରଶାସନିକ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।