ଭୁୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ପାଚିକା ତଥା ସହାୟିକା ଭାବେ କାମ କରୁଥିବା କର୍ମଚାରୀଙ୍କ ପାରିଶ୍ରମିକ ରାଶି ୬୦୦ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି ।
ପାଚିକା ତଥା ସହାୟିକାଙ୍କ ପାରିଶ୍ରମିକ ୧୪୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟ ସରକାର ବର୍ଷକୁ ଏଥିପାଇଁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ ।
ଖାଲି ସେତିକି ନୁହେଁ, କାର୍ଯ୍ୟକାଳ ମଧ୍ୟରେ କାହାର ମୃତ୍ୟୁ ହେଲେ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ ସହାୟିକା ଏଥିରେ ଉପକୃତ ହେବେ ।
କୃଷକ ସାଥୀଙ୍କ Contigent Expenditure ୬ ହଜାର ବଢ଼ିଲା
ରାଜ୍ୟର କୃଷକ ସାଥୀମାନଙ୍କ ଆବଶ୍ୟକ ଖର୍ଚ୍ଚ(Contigent Expenditure) ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଏହି ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ରାଜ୍ୟର ୧୩,୬୦୦ କୃଷକ ସାଥୀ ଉପକୃତ ହେବେ । ଏହି ବର୍ଦ୍ଧିତ ପରିମାଣ ଅକ୍ଟୋବର ୨୦୨୩ରୁ ଲାଗୁ ହେବ ।
ସୂଚନାଯୋଗ୍ୟ ଯେ କୃଷି ପ୍ରସାରଣ କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ୨୦୦୭-୨୦୦୮ ମସିହାରେ ରାଜ୍ୟର ଅଗ୍ରଣୀ ଚାଷୀ ମାନଙ୍କୁ କୃଷକ ସାଥି ଭାବେ ନିଯୁକ୍ତି ଦେଇଥିଲେ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଦୁଇ ଜଣ ଲେଖାଏ କୃଷକ ସାଥି କାମ କରୁଛନ୍ତି । କୃଷକ ସାଥିମାନେ କୃଷି କାର୍ଯ୍ୟ ସଂପର୍କିତ ବିଭିନ୍ନ ବିଷୟରେ ଚାଷୀ ମାନଙ୍କୁ ସଚେତନ କରିବା ସହିତ ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥାନ୍ତି।