ଯାଜପୁର/ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ବିଭୀଷିକା ନ ଯାଉଣୁ ଆଜି ପୁଣି ଏକ ଟ୍ରେନ୍ ଅଘଟଣ ୬ ଜଣ ଶ୍ରମିକଙ୍କ ଜୀବନ ନେଇଯାଇଛି । ଯାଜପୁର ରୋଡ୍ ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ଇଞ୍ଜିନବିହୀନ ମାଲବାହୀ ଟ୍ରେନ୍ ପବନରେ ଗଡ଼ିଯିବାରୁ ସେମାନେ ଚାପି ହୋଇଯାଇଥିଲେ । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି । ରେଳବାଇ ସେଫ୍ଟି ମେଜର୍ ଫେଲ୍ ର ଏହା ଆଉ ଏକ ହୃଦୟ ବିଦାରକ ପରିଣାମ ବୋଲି କୁହାଯାଉଛି ।
ଆଜି ଅପରାହ୍ନ ୪ଟାରୁ ୫ ଟା ମଧ୍ୟରେ ଏହି ଅଘଟଣ ଘଟିଛି । ପ୍ରବଳ ଝଡ଼ବର୍ଷା ଆସିବାରୁ ଟ୍ରାକ୍ ମରାମତି କାମରେ ଲାଗିଥିବା ୮ ଜଣ ଶ୍ରମିକ ଷ୍ଟେସନ୍ ର ଅନତି ଦୂର ସିକ୍ ଲାଇନ୍ ରେ ଥିବା ଚିପ୍ସ ବୋଝେଇ ଟ୍ରେନ୍ ତଳକୁ ଯାଇ ଆଶ୍ରୟ ନେଇଥିଲେ । ଇଞ୍ଜିନ୍ ବିହୀନ ମାଲବାହୀ ଟ୍ରେନ୍ ଟି ସେଠାରେ ଦୀର୍ଘ ଦିନ ଧରି ଅଟକି ରହିଥିଲା । ତେବେ ଶ୍ରମିକମାନେ ଆଶ୍ରୟ ନେଇଥିବା ବେଳେ ପବନର ବେଗ ବଢ଼ିବା ସହିତ ଟ୍ରେନ୍ ଟି ଗଡ଼ିବାକୁ ଆରମ୍ଭ କରିଥିଲା । ଆଉ ୱାଗନ୍ ତଳେ ଚାପି ହୋଇଯାଇଥିଲେ ୮ ଜଣ ଯାକ ଶ୍ରମିକ ।
ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଉ ୪ ଶ୍ରମିକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଦାନଗଦୀ ଡାକ୍ତରଖାନାକୁ ନେଇଯାଇଥିଲେ । ମାତ୍ର ବାଟରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଗୁରୁତର ଆହତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି ।
ଇଞ୍ଜିନ୍ ବିହୀନ ମାଲବାହୀ ଟ୍ରେନ୍ ପବନରେ କେମିତି ଗଡ଼ିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ଘଟଣାର ତଦନ୍ତ ପାଇଁ କର୍ତ୍ତୃପକ୍ଷ ନିଦେ୍ର୍ଦଶ ଦେଇଥିବା ପୂର୍ବତଟ ରେଳବାଇର ମୁଖ୍ୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଶ୍ୱଜିତ୍ ସାହୁ କହିଛନ୍ତି । ତାଙ୍କର ସୂଚନା ଅନୁଯାୟୀ, ମୌସୁମୀ ଋତୁ ଲାଗି ଏହି ଟ୍ରେନ୍ ଟି କୁ ସଜାଗ ରଖାଯାଇଥିଲା । ସେଥିରେ ଚିପ୍ସ ଏବଂ ବୋଲଡର ଭର୍ତ୍ତି ହୋଇଥିଲା । ବର୍ଷାଦିନେ କୌଣସିଠାରେ ଟ୍ରାକ୍ କ୍ଷତିଗ୍ରସ୍ତ ହେଲେ ମରାମତି ପାଇଁ ଏହା ଯାଇଥାଏ । ଟ୍ରେନ୍ କୁ ଚେନ୍ ଓ ଜାମ୍ ଦେଇ ରଖାଯାଇଥିଲା । ତା’ ସତ୍ତ୍ୱେ ଟ୍ରେନ୍ କେମିତି ଗଡ଼ିଲା ତାହାର ତଦନ୍ତ ହେବ ବୋଲି ଶ୍ରୀ ସାହୁ କହିଛନ୍ତି ।
ଉକ୍ତ ଶ୍ରମିକମାନେ ସ୍ଥାନୀୟ ଅଞ୍ଚଳର ଏବଂ ସେମାନେ ରେଳ ବିଭାଗ ପାଇଁ ଠିକାଦାର ପାଖେ କାମ କରୁଥିଲେ ବୋଲି ଜଣାପଡ଼ିଛି ।
୫ ଲକ୍ଷ ଅନୁକମ୍ପା ସହାୟତା: ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହା ଦିଆଯିବ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣାରେ ଆହତ ଦୁଇଜଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।







