ପ୍ରଥମ ୪ ଟି ସ୍ଥାନରେ ମହିଳା
ଓଡ଼ିଶା ତାଲିକାରେ ଅଙ୍କୁର ଟପ୍ପର
ଭୁବନେଶ୍ୱର: ୨୦୨୧ ମସିହାର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଚାରିଟି ଯାକ ସ୍ଥାନ ମହିଳା ହାସଲ କରିଛନ୍ତି । ଜେଏନୟୁ ଛାତ୍ରୀ ଶ୍ରୁତି ଶର୍ମା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅଙ୍କିତା ଅଗ୍ରୱାଲ୍ ଦ୍ୱିତୀୟ, ଗାମିନି ସିଙ୍ଗଲା ତୃତୀୟ ଏବଂ ଐଶ୍ୱର୍ଯ୍ୟା ବର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି ।
୬୮୫ ପଦବୀରେ ନିଯୁକ୍ତି ପାଇଁ ଏପ୍ରିଲ୍ ୫ ରୁ ମେ’ ୨୬ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୧୮୦୦ ଜଣଙ୍କୁ ଏହି ପରୀକ୍ଷା ପାଇଁ ଡକାଯାଇଥିଲା । କୃତକାର୍ଯ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍, ୨୦୦ ଜଣ ଆଇପିଏସ୍ ଏବଂ ୩୭ ଜଣ ଆଇଏଫଏସ୍ ରେ ନିଯୁକ୍ତି ପାଇବେ ।
କୃତକାର୍ଯ୍ୟ ତାଲିକାରେ ଓଡ଼ିଶାରୁ ୧୬ ଜଣ ଥିବା ଜଣାପଡ଼ିଛି । ପ୍ରଥମ ସ୍ଥାନରେ ଅଛନ୍ତି ଅଙ୍କୁର ଦାସ । ସର୍ବଭାରତୀୟ ତାଲିକାରେ ତାଙ୍କର ରାଙ୍କ୍ ହେଉଛି ୫୨ । ୬୩ ରାଙ୍କ୍ ରେ ଅଛନ୍ତି କାର୍ତ୍ତିକ ପାଣିଗ୍ରାହୀ । ୮୬ ରାଙ୍କ୍ ରେ ଗୌରଭ କୁମାର ଅଗ୍ରୱାଲ୍, ୧୧୬ ରାଙ୍କ୍ ରେ ସମ୍ଭାବୀ ମିଶ୍ର, ୧୯୯ ରାଙ୍କ୍ ରେ ପୂଜା ସାହୁ, ୨୦୫ ରାଙ୍କ୍ ରେ ଦୁର୍ଗାପ୍ରସାଦ ଅଧିକାରୀ, ୨୩୨ ରାଙ୍କ୍ ରେ ବିଶ୍ୱ ବିଶ୍ରୁତ ତ୍ରିପାଠୀ, ୨୬୯ ରାଙ୍କ୍ ରେ ଅନୁପ ଗର୍ଗ, ୨୭୩ ରାଙ୍କ୍ ରେ ସମୀର କୁମାର ଜେନା, ୩୦୬ ରାଙ୍କ୍ ରେ ସୌମ୍ୟରଞ୍ଜନ ପ୍ରଧାନ, ୩୭୬ ରାଙ୍କ୍ ରେ ହର୍ଷିତ ମେହେର, ୫୧୩ ରାଙ୍କ୍ ରେ ମାନସ ରଞ୍ଜନ ସାହୁ ଅଛନ୍ତି ।
ସର୍ବଭାରତୀୟସ୍ତରରେ ୬୩ ତମ ରାଙ୍କ୍ ରେ ଥିବା ୨୪ ବର୍ଷୀୟ କାର୍ତ୍ତିକ ପାଣିଗ୍ରାହୀଙ୍କ ଘର ସୋନପୁର । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ ପାସ୍ କରିବା ପରେ ସେଠାରେ ଏମଫିଲ୍ କରୁଛନ୍ତି । ସିଭିଲ୍ ସର୍ଭିସ୍ ରେ ଏହା ତାଙ୍କର ତୃତୀୟ ଉଦ୍ୟମ ଥିଲା । ପ୍ରଥମ ଦୁଇଥର ଯାକ ସେ ପ୍ରିଲିମ୍ କ୍ଲିୟର୍ କରିପାରି ନ ଥିଲେ ।
୮୬ ରାଙ୍କ୍ ରେ ଥିବା ୨୫ ବର୍ଷୀୟ ଗୌରଭ ଅଗ୍ରୱାଲ୍ ଇଣ୍ଟରନ୍ୟାସନାଲ୍ ଲ’ ଡିଗ୍ରୀ ହାସଲ୍ କରିଛନ୍ତି । ତାଙ୍କ ଘର ସୁନ୍ଦରଗଡ଼ରେ । ସେ ଘରେ ରହି ସିଭିଲ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଆଇଏଫଏସ୍ ଚାକିରିରେ ଯୋଗଦେବାକୁ ଚାହିଁଛନ୍ତି ।
ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ଓଡ଼ିଆ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମର୍ପିତ ଓ ପ୍ରତିବଦ୍ଧ ହୋଇ କାମ କରିବାକୁ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି । ଲୋକଙ୍କ ଜୀବନରେ ଆଖିଦୃଶିଆ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।