ଭୁବନେଶ୍ୱର: ଓଡ଼ିଆ ଫିଲ୍ମର ସୁପର୍ ଷ୍ଟାର୍ ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ ଜୀବନ ଭାଙ୍ଗିଯାଇଛି । ଅଭିନେତାରୁ ରାଜନେତା ବନିଥିବା ଅନୁଭବଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବର୍ଷା । କଟକ ଏସଡିଜେଏମ୍ କୋର୍ଟରେ ବର୍ଷା ଦେଇଥିବା ଏକ ପିଟିସନ୍ ରେ ଅନୁଭବ ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଅନୁଭବଙ୍କଠାରୁ ୧୫ କୋଟି କ୍ଷତିପୂରଣ ଦାବି କରିଛନ୍ତି ବର୍ଷା । ଅଗଷ୍ଟ ୭ ତାରିଖରେ ଏସଡିଜେଏମ୍ କୋର୍ଟରେ ବର୍ଷା ଏହି ପିଟିସନ୍ ଦେଇଛନ୍ତି । ଆସନ୍ତା ୭ ତାରିଖରେ ଏହାର ଶୁଣାଣି ହେବ ।
ବର୍ଷା ତାଙ୍କ ୮ ପୃଷ୍ଠାର ପିଟିସନ୍ ରେ ଅନୁଭବଙ୍କୁ ଜଣେ ଅଭ୍ୟାସଗତ ମଦ୍ୟପ ଏବଂ ନଷ୍ଟ ଚରିତ୍ରର ପୁରୁଷ ବୋଲି ଦର୍ଶାଇଛନ୍ତି । ଲେଖିଛନ୍ତି,
“ମୋତେ ବାହା ହେବା ପାଇଁ ଅନୁଭବ ଜିଦ୍ କରି ନାନା ହରକତ୍ କରିଥିଲେ । ବାହା ହେବାକୁ ରାଜି ନ ହେଲେ ସୁଇସାଇଡ୍ କରିଦେବେ ବୋଲି କହୁଥିଲେ । ମୋତେ ବାହା ହେବା ପାଇଁ ହାତ କାଟିବା ସହ ଛୁରିରେ ଛାତି କାଟି ରକ୍ତ ବୁହାଉଥିଲେ । ଅନୁଭବଙ୍କର ଏଭଳି ଆଚରଣ ଦେଖି ମୋ ମା’ ବିବାହ ପାଇଁ ରାଜି ହୋଇଥିଲେ । ଶେଷରେ ୮.୨.୨୦୧୪ ରେ ଆମର ଆରେଞ୍ଜ ମ୍ୟାରେଜ୍ ହେଲା ।
ବାହାଘର ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା । ବାହାଘର ପରେ ଆମେ ଉଭୟ ମିଶି ବହୁ ଫିଲ୍ମରେ ଅଭିନୟ କରିଥିଲୁ । ତେବେ ସେ ବାବଦ ମିଳୁଥିବା ପାରିଶ୍ରମିକରୁ ଅନୁଭବ ମୋତେ ଟଙ୍କାଟିଏ ବି ଦେଉ ନ ଥିଲେ । ଏପରିକି ହାତଖର୍ଚ୍ଚ ପାଇଁ ପଇସା ଦେଉ ନ ଥିଲେ । ଓଲଟି ଅତ୍ୟାଚାର ଆରମ୍ଭ କରିଥିଲେ । ପରେ ତାଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ହୋଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ଝିଅଙ୍କ ସହ ତାଙ୍କର ସମ୍ପର୍କ ବଢ଼ିଲା । ତାଙ୍କର ଏଭଳି କାରବାରକୁ ଘରଲୋକ ସମର୍ଥନ କରୁଥିଲେ ।
ଅନୁଭବ ଜଣେ ଅଭ୍ୟାସଗତ ମଦ୍ୟପ । ମଦ ପିଇଲା ପରେ ସେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି । ଏପରିକି ନିଜର ମଦ୍ୟପ ସାଙ୍ଗମାନଙ୍କୁ ଘରକୁ ଡାକି ବେଡ଼ ରୁମ୍ ରେ ମୋ ଉପସ୍ଥିତିରେ ମଦ ପିଅନ୍ତି । ଏଥିରେ ବିରୋଧ କଲେ ଅନୁଭବ ମତେ ହାତରେ ଓ ବାଡ଼ିରେ ପିଟନ୍ତି ।
ପିଲାଛୁଆ ପାଇଁ ମୁଁ ଚାହୁଁଥିଲେ ବି ସେ ସର୍ବଦା ଏଡ଼ାଇ ଯାଆନ୍ତି । ସେ ମଦ ପିଇ ହୋସ୍ ରେ ରହୁ ନ ଥିବାରୁ ମୋ କଥା ଶୁଣନ୍ତି ନାହିଁ । ବହୁ ସମୟରେ ସାଙ୍ଗ ହୋଇ ଡିନର୍ କରିବାକୁ ତାଙ୍କ ଅପେକ୍ଷାରେ ରହୁଥିଲେ ମଧ୍ୟ ବିଲମ୍ବିତ ରାତିରେ ଫେରି ଓଲଟି ମତେ ଗାଳି ଦିଅନ୍ତି । ପରିବାର ସମ୍ମାନ ଦୃଷ୍ଟିରୁ ମୁଁ ଚୁପ୍ ରହୁଥିଲି । ମୋ ମା’ ଓ ଦୁଇ ଭଉଣୀ ଅନେକ ଥର ତାଙ୍କୁ ବୁଝାଇ ସମାଧାନ ଉଦ୍ୟମ କରିଛନ୍ତି । ଅନୁଭବଙ୍କୁ ମଦ ଛଡ଼େଇବା ପାଇଁ ଆମେ ସମସ୍ତେ ଚେଷ୍ଟା କରିଛୁ । ମାତ୍ର ଆମ ଉଦ୍ୟମ ସଫଳ ହୋଇନାହିଁ ।
ଲକ୍ ଡାଉନ୍ ଠିକ୍ ପୂର୍ବରୁ ଅନୁଭବ ମତେ ଏକା ଘରେ ଛାଡ଼ି ଦିଲ୍ଲୀ ପଳାଇଥିଲେ । ଶାଶୁଘର ଲୋକ ସମସ୍ତେ ଦିଲ୍ଲୀରେ ଥିବା ବେଳେ ମୁଁ ଏକୁଟିଆ ଶାଶୁଘରେ ଥିଲି । ଏଠି ଏକୁଟିଆ ଥିଲେ ବି ଚଳିବା ପାଇଁ ହାତଖର୍ଚ୍ଚ ଦେଇନଥିଲେ । ମେ ୨୫ରେ ଦିଲ୍ଲୀରୁ ଫେରିଲା ପରେ ଅନୁଭବ ମତେ ପ୍ରବଳ ଗାଳି ଦେଇଥିଲେ । ଜୁନ୍ ୭ରେ ମୋ ଉପରେ ଅତ୍ୟାଚାର ସବୁ ସୀମା ଟପି ଯାଇଥିଲା । ଅନୁଭବ ଓ ତାଙ୍କ ବାପା ମିଶି ମତେ ଦୁଇଘଣ୍ଟା ଧରି ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଜୁନ୍ ୧୧ ରେ ଛାଡ଼ପତ୍ର ପାଇଁ ବାଧ୍ୟ କରିଥିଲେ । ନଚେତ୍ ପରିମାଣ ଭୋଗିବ ବୋଲି ଧମକାଇଥିଲେ ।
ବର୍ଷାଙ୍କ ନ୍ୟାୟଭିକ୍ଷା
ବର୍ଷା ତାଙ୍କ ପିଟିସନ୍ ରେ ଅନୁଭବଙ୍କଠାରୁ ରହିବାକୁ ଘରେ ଭାଗଦେବା ନଚେତ ଘରଭଡ଼ା ମାଗିଛନ୍ତି । ଏଥିରେ ରହିଛି- ଘରଭଡ଼ା ପାଇଁ ମାସିକ ୨୦ ହଜାର, ଚଳିବାକୁ ୫୦ ହଜାର, କ୍ଷତିପୂରଣ ବାବଦରେ ୧୩ କୋଟି, ସ୍ୱାସ୍ଥ୍ୟଜନିତ ଖର୍ଚ୍ଚ ବାବଦରେ ୨ କୋଟି ।
ଅନୁଭବଙ୍କ ପ୍ରତିକ୍ରିୟା: ପତ୍ନୀ ବର୍ଷାଙ୍କ ପିଟିସନ୍ ସମ୍ପର୍କରେ ଅନୁଭବ ଗଣମାଧ୍ୟମକୁ କହିଛନ୍ତି ଯେ ମୋ ପାଖକୁ ସେମିତି କୋ÷ଣସି ଲିଗାଲ୍ ନୋଟିସ୍ ଆସିନାହିଁ । ଯେବେ ଆସିବ, ମୁଁ ଆପଣମାନଙ୍କୁ ସେ ବିଷୟରେ ଜଣାଇବି ।