ସମ୍ବଲପୁର: ଭେଟେରାନ୍ କଳାକାର ‘ଶଲାବୁଢ଼ା’ ଫେମ୍ ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି । ୯୨ ବର୍ଷ ବୟସରେ ବୁର୍ଲା ବଡ଼ ମେଡ଼ିକାଲ୍ ରେ ଆଖି ବୁଜିଦେଇଛନ୍ତି । ଅଟଳ ବିହାରୀଙ୍କ ବିୟୋଗରେ ଓଡ଼ିଆ ମଞ୍ଚ ଓ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ବର୍ଷୀୟାନ୍ କଳାକାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି ।
ଗତମାସ ୧୬ ତାରିଖରେ ଧର୍ମପତ୍ନୀ ଲଳିତା ପଣ୍ଡା(୮୦) ଙ୍କର ପରଲୋକରେ ଶ୍ରୀ ପଣ୍ଡା ଭୀଷଣ ଭାଙ୍ଗିଯାଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ମେ ୧୯ ରେ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ଭୀମସାରେ ଭର୍ତ୍ତି କରାଯାଇଥିଲା । ୩୧ ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାତ୍ର ପରଦିନ ପୁଣି ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଗତ ରାତି ୩.୪୫ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୁଅ ଅରୁଣ ପଣ୍ଡା ସୂଚନା ଦେଇଛନ୍ତି ।
କେବଳ ଅଭିନୟ ନୁହେଁ, ନାଟକ ରଚନାରେ ମଧ୍ୟ ସେ ସିଦ୍ଧହସ୍ତ ଥିଲେ । ଶତାଧିକ ମଞ୍ଚ ନାଟକରେ ଅଭିନୟ କରିଥିବା ଅଟଳ ପଣ୍ଡା ୮୩ ବର୍ଷ ବୟସରେ ନିଜର ପ୍ରଥମ ଫିଲ୍ମ ଭାବେ ସମ୍ବଲପୁରୀ ଚଳଚିତ୍ର ‘ଶଲାବୁଢ଼ା’ କରିଥିଲେ । ଏଥିରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କର ନିଖୁଣ ଅଭିନୟ ପାଇଁ ସେ ଦର୍ଶକଙ୍କ ପ୍ରବଳ ପ୍ରଶଂସା ସାଉଁଟିଥିଲେ । ଘରେ ଘରେ ସେ ଶଲାବୁଢ଼ା ଭାବେ ପରିଚିତ ହୋଇଗଲେ । ଏହି ଚଳଚିତ୍ରଟି କେବଳ ଓଡ଼ିଶା କି ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ବେଶ୍ ଆଦୃତି ଲାଭ କରିଥିଲା ।
ଏହି ଚଳଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କୁ ରାଜ୍ୟ ଚଳଚିତ୍ର ପୁରସ୍କାର ମିଳିଥିଲା । ଶଲାବୁଢ଼ା ସିରିଜ୍ ର ତୃତୀୟ ଫିଲ୍ମ ‘ଶଲାବୁଢ଼ାର ବଦଲା’ ରେ ଅଭିନୟ ପାଇଁ ପୁରସ୍କାର ଲାଭ କରିଥିଲେ । ଏହି ଚଳଚିତ୍ରଟି ୬୭ତମ ଜାତୀୟ ଚଳଚିତ୍ର ପୁରସ୍କାର ଲାଭ କରିଥିଲା । ତାଙ୍କର ଅନ୍ୟ ଏକ ଲୋକପ୍ରିୟ ଚଳଚିତ୍ର ‘ଆଦିମ ବିଚାର’ ରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚିତ୍ର ପୁରସ୍କାର ମିଳିଥିଲା ।