ଭୁବନେଶ୍ୱର: ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କର ଆଜି ଦେହାନ୍ତ ହୋଇଛି । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ କରୋନା ପରବର୍ତ୍ତୀ ଜଟିଳତା ଯୋଗୁଁ ସେ ଗୁରୁତର ହୋଇପଡ଼ିଥିଲେ । ଏକ ଘରୋଇ ନର୍ସିଂହୋମ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ତାଙ୍କୁ ୮୧ ବର୍ଷ ହୋଇଥିଲା । ଶ୍ରୀ ବର୍ମାଙ୍କ ବିୟୋଗରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି ।
ଶିକ୍ଷକ ନେତାରୁ ବିଧାୟକ ହୋଇଥିବା ସ୍ୱର୍ଗତ ବର୍ମା ଜଣେ ସାଦାସିଧା, ସରଳ, ଅମାୟକ ବ୍ୟକ୍ତିତ୍ୱର ମଣିଷ ଥିଲେ । ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ମାହାଙ୍ଗା ବିଧାନସଭା ଆସନରୁ ସେ ଥିଲେ ବିଧାୟକ । ବିଧାୟକ ଭାବେ ସେ ବହୁତ ଲୋକପ୍ରିୟ ଥିଲେ । ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାରେ ଉପସ୍ଥାପିତ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ବିଧାୟକ ନ ଥାଇ ବି ଲୋକଙ୍କ ସମସ୍ୟା ସହ ସେ ସବୁବେଳେ ଜଡ଼ିତ ରହୁଥିଲେ । ଦି ହଳ ଧୋତି, ପଞ୍ଜାବୀ ଏବଂ ହଳେ ଚପଲରେ ବିତୁଥିଲା ତାଙ୍କର ଜୀବନ ।
ଶ୍ରୀ ବର୍ମାଙ୍କ ଦେହାନ୍ତ ସହ ମାହାଙ୍ଗା ମାଟି ଆଉ ଜଣେ ସୁଯୋଗ୍ୟ ପୁରୁଷଙ୍କୁ ହରାଇଛି । ପୂର୍ବରୁ ଶରତ କର ଏବଂ ସେକ ମତଲୁବ ଅଲ୍ଲୀଙ୍କୁ ହରାଇଥିଲା ମାହାଙ୍ଗା ମାଟି ।
ବିକ୍ରମ ବର୍ମାଙ୍କ ବିୟୋଗରେ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କୁ ଜଣେ ମିଷ୍ଟଭାଷୀ, ସରଳ, ନିଷ୍କପଟ ପରୋପକାରୀ, ବନ୍ଧୁବତ୍ସଳ ଓ ସମାଜସେବୀ ଭାବେ ବର୍ଣ୍ଣନା କରିଛନ୍ତି । ମାହାଙ୍ଗା ଅଞ୍ଚଳର ବିକାଶ ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ଜେନା କହିଛନ୍ତି ।