ଭୁବନେଶ୍ୱର: ସିନେ ଜଗତର ପ୍ରଖ୍ୟାତ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ସାଧୁ ମେହେର ଆଉ ଇହ ଜଗତରେ ନାହାନ୍ତି । ଉଭୟ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିିତ୍ରର ଏକାଧାରର ଏହି ଅଭିନେତା, ନିର୍ମାତା, ନିର୍ଦ୍ଦେଶକଙ୍କର ଆଜି ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ୮୪ ବର୍ଷ ହୋଇଥିଲା । ତାଙ୍କର ବିୟୋଗ ସହ ଓଡ଼ିଆ ଚଳଚିତ୍ର ଜଗତ ଆଉ ଜଣେ ମହାନ୍ ବ୍ୟକ୍ତିତ୍ୱଙ୍କୁ ହରାଇଛି ।
ଓଡ଼ିଶାର ସୋନପୁର ଜିଲ୍ଲାରେ ଜନ୍ମିତ ସାଧୁ ମେହେର ପୁନେସ୍ଥିତ ଫିଲ୍ମ ଇନଷ୍ଟିଚ୍ୟୁଟ୍ ରେ ପାଠ ପଢ଼ି ଗୋଲଡ୍ ମେଡାଲ୍ ପାଇଥିଲେ । ପ୍ରଥମେ ହିନ୍ଦୀ ଫିଲ୍ମରୁ କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୬୯ରେ ରିଲିଜ୍ ହୋଇଥିବା ମୃଣାଳ ସେନଙ୍କ ହିନ୍ଦୀ ଫିଲ୍ମ ଭୁବନେ ସୋମ ଥିଲା ତାଙ୍କର ପ୍ରଥମ ଫିଲ୍ମ । ୧୯୭୪ ମସିହାରେ ରିଲିଜ୍ ହୋଇଥିବା ଅଙ୍କୁରରେ ତାଙ୍କର ଶ୍ରେଷ୍ଠ ଅଭିନୟ ପାଇଁ ସେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ ।
ପରବର୍ତ୍ତୀ ସର୍ମରେ ସେ ନିଶାନ୍ତ, ମନ୍ଥନ, ବାଲିଘର, ଇନକାର, ସଫେଦ ହାତୀ, ଅଭିମାନ, ମୃଗୟା, ଶୀତ ରାତି, ସମ୍ବଲପୁରୀ ଫିଲ୍ମ ‘ଭୁଖା’ ଏବଂ ୧୫ ଟି ଭାଷାରେ ନିର୍ମିତ ଜୟ ଜଗନ୍ନାଥ ଭଳି ଚଳଚ୍ଚିତ୍ରରେ ସେ ନିଖୁଣ ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ । ଅଭିମାନ, ଅପରିଚିତା, ଅଭିଳାଷ ଆଦି ଫିଲ୍ମରେ ସେ ନିଦେ୍ର୍ଦଶନା ଦେଇଥିଲେ । ମଞ୍ଚ ନାଟକରେ ମଧ୍ୟ ସେ ତାଙ୍କ ନିଖୁଣ ଅଭିନୟ ଓ ନିର୍ଦ୍ଦେଶନାର ଛାପ ଛାଡ଼ିଛନ୍ତି ।
ଅଭିନୟ, ନିର୍ଦ୍ଦେଶନା ତଥା ପ୍ରଯୋଜନାରେ ସଫଳତା ଅର୍ଜନ କରିଥିବା ସାଧୁ ମେହେରଙ୍କୁ ୨୦୧୭ ମସିହାରେ ଭାରତ ସରକାର ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଥିଲେ ।
ତାଙ୍କର ମୃତ୍ୟୁରେ ଓଡ଼ିଶା ସିନେ ଓ କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି,
ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ । ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି। ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡିଆ ଅଭିନେତା। କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।