ଭୁବନେଶ୍ୱର: କମ୍ୟୁନିଷ୍ଟ ଆନ୍ଦୋଳନର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ ଆଉ ନାହାନ୍ତି । ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
କମ୍ୟୁନିଷ୍ଟ ପାର୍ଟି(ସିପିଏମ୍) ର ଜଣେ ଆଗଧାଡ଼ିର ନେତା ଥିଲେ ଶିବାଜୀ ପଟ୍ଟନାୟକ । ସେ ସଂଗଠନର ଅନ୍ୟତମ ପ୍ରତିଷ୍ଠାତା ଥିଲେ । ବହୁ ବର୍ଷ ଧରି ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ସିଟୁର ରାଜ୍ୟ ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ । ଭୁବନେଶ୍ୱର ଲୋକସଭା ଆସନରୁ ସେ ତିନି ଥର ସାଂସଦ ନିର୍ବାଚିତ ହୋଇଥିଲେ । ଶ୍ରମିକମାନଙ୍କ ହକ୍ ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ସେ ଲଢ଼େଇ ଜାରି ରଖିଥିଲେ ।
ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।