ଭୁୁବନେଶ୍ୱର: ବର୍ଷୀୟାନ୍ ରାଜନେତା ଡାକ୍ତର ଦାମୋଦର ରାଉତ ଆଉ ଇହ ଜଗତରେ ନାହାନ୍ତି । ଗୁରୁତର ଅସୁସ୍ଥ ଦାମବାବୁ ସ୍ଥାନୀୟ କିମସ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ସକାଳ ୫ଟା ୨୩ ମିନିଟ୍ ରେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୮୩ ବର୍ଷ ହୋଇଥିଲା । ଦାମବାବୁଙ୍କ ବିୟୋଗ ସହ ଓଡ଼ିଶା ରାଜନୈତିକ ଆକାଶରୁ ଆଉ ଏକ ଉଜ୍ଜଳ ନକ୍ଷତ୍ର ଚିରଦିନ ପାଇଁ ବିଲୀନ ହୋଇଯାଇଛି । ଏହି ଦାରୁଖ ଖବର ସବୁ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
ହାର୍ଟ, କିଡନୀ ଆଦି ବିଭିନ୍ନ ରୋଗରେ ପୀଡ଼ିତ ଦାମବାବୁ ଦୀର୍ଘ ଦିନ ଧରି ହସ୍ପିଟାଲ୍ ରେ ରହି ଚିକିତ୍ସିତ ହେଲା ପରେ ଗତମାସରେ ଘରକୁ ଫେରିଥିଲେ । ମାତ୍ର ଗତ ୧୮ ତାରିଖ ସୋମବାର ରାତି ଅଧରେ ତାଙ୍କର ହୃଦଘାତ ହୋଇ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ରାତି ୩ଟାରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାରେ ଅବହେଳା କରାଯାଇଥିବା ପୁଅ ବିଧାୟକ ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି । ଏହାପରେ ତାଙ୍କୁ କିମସ୍ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ସିପିଆର୍ ଦିଆଯିବା ପରେ ତାଙ୍କର ହାର୍ଟ କାମ କରିଥିଲେ ମଧ୍ୟ ବ୍ରେନ୍ କୁ ଅକ୍ସିଜେନ୍ ଗଲାନି ଏବଂ ରକ୍ତ ସଞ୍ଚାଳନ ହେଲାନାହିଁ । ଫଳରେ ବ୍ରେନ୍ ଡେଡ୍ ଅବସ୍ଥାକୁ ଚାଲି ଆସିଥିଲେ ଦାମବାବୁ । ଡାକ୍ତରମାନଙ୍କ ପ୍ରବଳ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା ।
ଜ୍ଞାନ, ଅଭିଜ୍ଞତା ତଥା ବାକ୍ ଚତୁରତାରେ ଭରା ଏକ ପୂର୍ଣ୍ଣାଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ ଥିଲେ ଡାକ୍ତର ଦାମୋଦର ରାଉତ । ଛାତ୍ରାବସ୍ଥ୍ାରେ ବିଜୁବାବୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ମଧ୍ୟ ପଶୁ ଡାକ୍ତରୀ ପାଠ ପଢ଼ି ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବିଜୁବାବୁଙ୍କ ପରାମର୍ଶରେ ସେ ଚାକିରି ଛାଡ଼ି ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସମୟରେ ବାଲିକୁଦା-ଏରସମା ଏବଂ ପାରାଦ୍ୱୀପ ବିଧାନସଭା ଆସନରୁ ସେ ସମୁଦାୟ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଉଭୟ ବିଜୁବାବୁ ଏବଂ ନବୀନବାବୁଙ୍କ କ୍ୟାବିନେଟ୍ ରେ ଏକାଧିକ ଥର ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦ ପାଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ବିଜେଡି ସଂଗଠନରେ ମଧ୍ୟ ଉପସଭାପତି, ମହାସଚିବ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ ।
ଏକ ବିବାଦୀୟ ପରିସ୍ଥିତିରେ ୨୦୧୮ ମସିହାରେ ସେ ମନ୍ତ୍ରୀ ପଦ ହରାଇଥିଲେ । ମାତ୍ର ଏହାକୁ ସେ ସହଜରେ ଗ୍ରହଣ ନ କରି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିବାରୁ ସେହିବର୍ଷ ସେପ୍ଟେମ୍ବର ୧୨ ତାରିଖରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଏହାପରେ ସେ ନିଜେ ଏକ ରାଜନୈତିକ ଦଳ ଗଢ଼ିବାକୁ ନିଷ୍ପତ୍ତି ନେଇ ବ୍ରଜ ତ୍ରିପାଠୀଙ୍କ ସହ କଥା ହୋଇଥିଲେ । ବ୍ରଜବାବୁଙ୍କ ସମତାକ୍ରାନ୍ତି ଦଳ ପଛରେ ବିଜୁ ବାବୁଙ୍କ ନାଁକୁ ଯୋଡ଼ି ତାହାର ନବୀକରଣ କରିଥିଲେ । ନାଁ ଦେଇଥିଲେ ବିଜୁ ସମତାକ୍ରାନ୍ତି ଦଳ । ତେବେ ଯେଉଁମାନଙ୍କୁ ନେଇ ସେ ଏହାର ପରିକଳ୍ପନା କରିଥିଲେ କେହି ନ ଆସିବାରୁ ଦାମବାବୁ ନିଜ ଉଦ୍ୟମରୁ ଓହରିଗଲେ ।
୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୧୪ ତାରିଖରେ ସେ ଦିଲ୍ଲୀ ଯାଇ ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଥିଲେ । ବିଜେପି ତାଙ୍କୁ ଷ୍ଟାର୍ କ୍ୟାମ୍ପନର କରି ନିର୍ବାଚନ ପ୍ରଚାରର ମଙ୍ଗ ଧରାଇଥିଲା । ତେବେ ଏଥିରେ ଦାମବାବୁ ସଫଳ ହୋଇପାରି ନ ଥିଲେ । ନିଜେ ଲଢ଼ିଥିବା ବାଲିକୁଦା-ଏରସମା ଆସନରେ ସେ ତୃତୀୟ ସ୍ଥାନରେ ରହିଗଲେ । ନବୀନ ବାବୁଙ୍କ ଉପରେ ରାଗି ବିଜେପିରେ ଯୋଗଦେଇଥିଲେ ମଧ୍ୟ ସେଠାରେ ନିଜକୁ ଖାପ ଖୁଆଇ ପାରିନଥିଲେ । ପ୍ରବଳ ପଶ୍ଚାତାପ କରି ୨୦୧୯ ଅକ୍ଟୋବର ୧୬ ରେ ବିଜେପିରୁ ଇସ୍ତଫା ଦେଇଥିଲେ । ସେହିଦିନୁ ବିଜେଡିକୁ ଫେରିଆସିବା ପାଇଁ ଉଦ୍ୟମ କରି ଆସୁଥିଲେ ।
ଇତିମଧ୍ୟରେ ସେ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ନୂଆବର୍ଷ ଦିନ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଖୁସି ଖବର ଦେଇଥିଲେ । ତାଙ୍କ ଉପରେ ଲାଗିଥିବା ବହିଷ୍କାର ଆଦେଶକୁ ହଟାଇ ଦଳକୁ ଫେରାଇ ଆଣିଥିଲେ । ତେବେ ଦାମବାବୁ ଏହି ଖୁସି ଉପଭୋଗ କରିବାକୁ ଜୀବନ ପାଇନାହାନ୍ତି । ବିଜେଡିର ଏକ ସମାବେଶରେ ଯୋଗଦେବାକୁ ଅସୁସ୍ଥ ଦାମବାବୁ ହୁଇଲ୍ ଚେୟାରରେ ବସି ଥରୁଟିଏ କୁଜଙ୍ଗ ଯାଇଥିଲେ । ଆଉ ଆଜି ଭୁବନେଶ୍ୱରରେ ହସ୍ପିଟାଲ୍ ବେଡ୍ ରେ ଚିରଦିନ ପାଇଁ ଆଖି ବୁଜି ଦେଇଛନ୍ତି ।
ସୂଚନାଯୋଗ୍ୟ, ୨୦୧୯ ମାର୍ଚ୍ଚ ୨୧ ତାରିଖରେ ଦାମବାବୁଙ୍କ ପତ୍ନୀ ସ୍ନେହଲତାଙ୍କର ପରଲୋକ ହୋଇଥିଲା । ସେତେବେଳେ ସେ ବିଜେଡ଼ିରୁ ବହିଷ୍କୃତ ହୋଇସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନକୁ ଯାଇ ଦିବଙ୍ଗତ ପତ୍ନୀଙ୍କୁ ଶେଷଦର୍ଶନ କରିବା ସହ ଦାମବାବୁଙ୍କୁ ଶାନ୍ତ୍ୱନା ଦେଇଥିଲେ । ଏହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା । ଦାମବାବୁଙ୍କର ଏକମାତ୍ର ପୁଅ ସମ୍ବିତ ରାଉତରାୟ ପାରାଦ୍ୱୀପ ବିଧାୟକ ଅଛନ୍ତି । ଏକମାତ୍ର ଝିଅ ପ୍ରୀତିନନ୍ଦା ରାଉତରାୟ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର । ଓଡ଼ିଶାର ସେ ଜଣେ ସ୍ୱନାମଧନ୍ୟ ଗାୟିକା ମଧ୍ୟ ।
ଦାମବାବୁଙ୍କ ମୃତୁ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ସେ ଦାମବାବୁଙ୍କ ସ୍ମୃତିଚାରଣ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ରାଜ୍ୟପାଳ ରଘୁବର ଦାସ ମଧ୍ୟ ଦାମବାବୁଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ସବୁ ରାଜନୈତିକ ଦଳର ନେତୃବୃନ୍ଦ ଦାମବାବୁଙ୍କ ମୃତୁ୍ୟରେ ଗଭୀର ଶୋକପ୍ରକାଶ କରି ତାଙ୍କର ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।