ଭୁବନେଶ୍ୱର: ଓଡ଼ିଶା ରାଜନୀତିର ଏକଦା ଟାଣୁଆ ନେତା ତଥା ‘ଗଞ୍ଜାମ ଟାଇଗର’ ଭାବେ ଜଣାଶୁଣା ରାମକୃଷ୍ଣ ପଟ୍ଟନାୟକ ଆମ ଗହଣରେ ଆଉ ନାହାନ୍ତି । ଭୁବନେଶ୍ୱରରେ ଆଜି ସକାଳେ ସେ ଆଖି ବୁଜିଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗ ଓଡ଼ିଶା ରାଜନୈତିକ ମହଲରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରାମକୃଷ୍ଣ ପଟ୍ଟନାୟକ ଗତକାଲି ଭୁବନେଶ୍ୱରସ୍ଥିତ ବାସଭବନରେ ହଠାତ୍ ପଡ଼ିଯାଇଥିଲେ । ଏଥିରେ ତାଙ୍କ ଶରୀରରେ ସେଭଳି ବଡ଼ ଆଘାତ ହୋଇ ନ ଥିଲେ ମଧ୍ୟ ଆଜି ସକାଳେ ଅଚାନକ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ସକାଳ ୯.୩୦ ମିନିଟ୍ ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଓଡ଼ିଶା ରାଜନୀତିରେ ରାମକୃଷ୍ଣ ପଟ୍ଟନାୟକ ଜଣେ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ ଥିଲେ । ଗଞ୍ଜାମ ଜିଲ୍ଲା କୋଦଳା ଆସନରୁ ସେ ବିଭିନ୍ନ ସମୟରେ ଜନତା ପାର୍ଟି, ଜନତା ଦଳ ଏବଂ ବିଜେଡ଼ିରୁ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୧ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ । ପରବର୍ତ୍ତୀ ସମୟରେ ୧୯୭୭, ୧୯୮୫, ୧୯୯୦, ୧୯୯୫ ଏବଂ ୨୦୦୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଏକାଧିକ ବିଭାଗର ମନ୍ତ୍ରୀ ଥିଲେ । ନବେ ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବେଳେ ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ସେ ଥିଲେ ବିରୋଧୀ ଦଳ ନେତା ।
୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ ସରକାରରେ ରାମକୃଷ୍ଣ ପଟ୍ଟନାୟକ ଥିଲେ ଅର୍ଥମନ୍ତ୍ରୀ । ନବୀନ ପଟ୍ଟନାୟକ ସରକାରଙ୍କ ପ୍ରଥମ ପାଳିରେ ସେ ମଧ୍ୟ ଅର୍ଥମନ୍ତ୍ରୀ ଥିଲେ । ୧୯୯୭ ମସିହାରେ ବିଜୁ ଜନତା ଦଳ ଗଠନର ସେ ଥିଲେ ପ୍ରମୁଖ ବିନ୍ଧାଣୀ ।
ଜଣେ ଜ୍ଞାନୀ, ବାଗ୍ମୀ ଓ ଗୁଣୀ ନେତା ଭାବେ ରାମକୃଷ୍ଣ ପଟ୍ଟନାୟକଙ୍କ ଦକ୍ଷତା ସର୍ବଜନବିଦିତ । ବିଧାନସଭାରେ ତାଙ୍କର ଆଲୋଚନା ସମସ୍ତଙ୍କ ପାଇଁ ପ୍ରେରଣା ଥିଲା । ବିପକ୍ଷ ଦଳକୁ ଅଡୁଆରେ ପକାଇବାର କଳାରେ ସେ ସିଦ୍ଧହସ୍ତ ଥିଲେ । ମନ୍ତ୍ରୀ ଭାବେ ଯେଉଁ ବିଭାଗର ଦାୟିତ୍ୱ ନେଉଥିଲେ ସେହି ବିଭାଗ ଉପରେ ତାଙ୍କର ପ୍ରଚଣ୍ଡ ଦକ୍ଷତା ଓ ପାଣ୍ଡିତ୍ୟ ଦେଖିବାକୁ ମିଳୁଥିଲା । ଜଣେ ଅର୍ଥନୀତିଜ୍ଞ ନ ହୋଇ ମଧ୍ୟ ଅର୍ଥନୀତି ଉପରେ ତାଙ୍କର ପ୍ରଚଣ୍ଡ ଦଖଲ ଥିଲା । ଉଭୟ ବିଜୁ ବାବୁ ଏବଂ ନବୀନ ବାବୁଙ୍କ ସରକାରରେ ବିଚକ୍ଷଣ ଅର୍ଥମନ୍ତ୍ରୀ ଭାବେ ତାଙ୍କର ସୁନାମ ଥିଲା ।
ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।