ଭୁବନେଶ୍ୱର: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ଦୃଷ୍ଟିରୁ ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଡିସେମ୍ବର ୨୫ ଏବଂ ଜାନୁଆରୀ ୧ ପାଇଁ କଟକଣା ରହିବ । କେବଳ ବାହାଘର ଓ ଶୁଦ୍ଧିକ୍ରିୟାକୁ ଛାଡ଼ି ଅନ୍ୟ ସବୁ ସେଲିବ୍ରେସନ୍ ଓ ଭୋଜିଭାତ ଉପରେ କଟକଣା ଲାଗିଛି ।
ବଡ଼ଦିନ ପାଳନ ଚର୍ଚ୍ଚ ଭିତରେ ସୀମିତ ରହିବ । କୋଭିଡ୍ କଟକଣା ଭିତରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ ।
ସେହିପରି ଜିରୋ ନାଇଟ୍ ସେଲିବ୍ରେସନ୍ କୁ ବାରଣ କରାଯାଇଛି । ହୋଟେଲ, କ୍ଲବ୍, ରେଷ୍ଟୁରାଣ୍ଟ ଆଦିରେ ନୂଆବର୍ଷ ପାଳନ ହୋଇପାରିବ ନାହିଁ । ନୂଆବର୍ଷରେ ମିଳିତ ଭୋଜିଭାତକୁ ମଧ୍ୟ ବାରଣ କରାଯାଇଛି । ସମସ୍ତେ ନିଜ ପରିବାର କିମ୍ବା ବନ୍ଧୁ ଓ ସମ୍ପର୍କୀୟଙ୍କ ଘରେ ଜିରୋ ନାଇଟ୍ ପାଳନ କରିବାକୁ କୁହାଯାଇଛି ।
ଏହି ସମୟ ମଧ୍ୟରେ ଶୋଭାଯାତ୍ରା, ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ମନା କରାଯାଇଛି । ତେବେ କୋଭିଡ୍ କଟକଣା ମଧ୍ୟରେ ବିବାହ ଏବଂ ଶୁଦ୍ଧିକ୍ରିୟା ପାଳନ ହେବ । ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡ଼ିଲେ ଅଧିକ କଟକଣା ଜାରି କରିବାକୁ ପ୍ରଶାସନକୁ ଅନୁମତି ଦିଆଯାଇଛି ।