ଭୁବନେଶ୍ୱର: ଓଡ଼ିଆ ଟିଭି ଜଗତର ଜଣାଶୁଣା କ୍ୟାମେରାମ୍ୟାନ୍ ସୁବୋଧ ପାଣିଗ୍ରାହୀ ଆଉ ନାହାନ୍ତି । ଆଜି ସଂଧ୍ୟାରେ ଅଚାନକ ହୃଦଘାତର ଶିକାର ହୋଇ ସେ ଆଖି ବୁଜି ଦେଇଛନ୍ତି । ନ୍ୟୁଜ୍ ୭ ରେ ବରିଷ୍ଠ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରୁଥିବା ସୁବୋଧଙ୍କୁ ୫୨ ବର୍ଷ ହୋଇଥିଲା । ତାଙ୍କର ଅକାଳ ବିୟୋଗ ସାମ୍ବାଦିକ ମହଲକୁ ସ୍ତବ୍ଧ କରିଦେଇଛି ।
ନିଜ କାର୍ଯ୍ୟରେ ଅତ୍ୟନ୍ତ ନିଷ୍ଠାପର ଥିବା ସୁବୋଧଙ୍କ ବ୍ୟକ୍ତିତ୍ୱ ମଧ୍ୟ ବେଶ୍ ଉଚ୍ଚକୋଟିର ଥିଲା । ସରଳ, ଅମାୟକ ବ୍ୟବହାର ସାଙ୍ଗକୁ ତାଙ୍କର ହସ ହସ ମୁହଁ ସମସ୍ତଙ୍କୁ ଆକର୍ଷିତ କରୁଥିଲା । ସବୁଦିନ ଭଳି ଆଜି ମଧ୍ୟ ସେ ତାଙ୍କର ଅଫିସ୍ କାର୍ଯ୍ୟ ସୁଚାରୂରୂପେ ତୁଲାଇଥିଲେ ।
କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ହକି ଇଭେଣ୍ଟ କଭରେଜ୍ ଦାୟିତ୍ୱ ପାଇଥିବାରୁ ବେଶ୍ ଉତ୍ସାହିତ ଥିଲେ । ପ୍ରାକ୍ ପ୍ରସ୍ତୁତି କଭରେଜ୍ ପାଇଁ ଆଜି ମଧ୍ୟ କଳିଙ୍ଗ ଷ୍ଟାଡିୟମ୍ ଯାଇଥିଲେ । ସେଠାରେ କାମ ସାରି ଅଫିସ ରୁ ସଂଧ୍ୟାବେଳେ ଘରକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନ ଥିଲେ ।
ସ୍ୱର୍ଗତଃ ପାଣିଗ୍ରାହୀଙ୍କ ଘର ବ୍ରହ୍ମପୁର ଗେଟ୍ ବଜାରରେ । ତାଙ୍କର ପତ୍ନୀ ଏବଂ ଏକମାତ୍ର ପୁଅ ଅଛନ୍ତି । ରାତିରେ ସ୍ୱର୍ଗଦାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି ।