ଭୁବନେଶ୍ୱର: ଗଲା ମାସରେ ନୟାଗଡ଼ ଏମଭିଆଇ ପଞ୍ଚାନନ ଓରଫ୍ ପଞ୍ଚୁ ବେହେରାଙ୍କ ଉପରେ ଭିଜିଲାନସ୍ ଚଢ଼ଉ ବେଳେ ବିପୁଳ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ୱରରେ ତାଙ୍କର ଦୁଇ ଦୁଇଟି କୋଠା ସାଙ୍ଗକୁ ୩୧ ଟି ପ୍ଲଟ୍ । ତାହା ବାଦ୍ ୭୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୧୫ ଲକ୍ଷ ଟଙ୍କାର ଗହଣା ଗାଣ୍ଠି ଥିଲା । ୫୦ ଲକ୍ଷରୁ ଅଧିକ ଟଙ୍କା ଦେଇ ସେ ବାବୁ ତାଙ୍କ ପୁଅକୁ ମେଡିକାଲ୍ ପଢ଼ୋଉଛନ୍ତି । ଭିଜିଲାନସ୍ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ।
ଆଜି ଜାତିଭାଇର ଆଉ ଜଣେ ସରକାରୀ ବାବୁ ଭିଜିଲାନସ୍ ହାବୁଡରେ ପଡ଼ିଛନ୍ତି । ସେ ବାବୁ ହେଉଛନ୍ତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର । ଡଉଲ ଡାଉଲ ଚେହେରାର ଏହି ବାବୁଙ୍କର ସମ୍ପତ୍ତି ବି ସେମିତି ଡଉଲ ଡାଉଲ । ରାଜଧାନୀରେ ଆଭିଜାତ୍ୟସମ୍ପନ୍ନ ଗଣ୍ଡା ଗଣ୍ଡା ଫ୍ଲାଟ୍ ରେ ସେ ସନ୍ତୁଷ୍ଟ ହୋଇନାହାନ୍ତି । ବେଙ୍ଗାଲୁରୁର ଭିଭିଆଇପି ଏରିଆରେ ବୁକ୍ କରିଛନ୍ତି ଫ୍ଲାଟ୍ । ଆରଟିଓ ଚାକିରି କରିଥିବା ଏହି ବାବୁଙ୍କ ପକେଟ୍ କେତେ ଗରମ ତାହା ଏଥିରୁ ସ୍ପଷ୍ଟ ଜାଣି ହେଉଛି ।







