ଭୁବନେଶ୍ୱର: ରାଜନୀତିରେ ବିଫଳ ହେଲା ପରେ ପୁଣି ଚାକିରି କ୍ଷେତ୍ରକୁ ଫେରିଯିବାକୁ ମନସ୍ଥିର କରିଛନ୍ତି ବହୁ ଚର୍ଚ୍ଚିତ ଭି.କେ.ପାଣ୍ଡିଆନ୍ । ତେବେ ଆଉ ଆଇଏଏସ୍ ଚାକିରି ନୁହେଁ । ଏକ ଅନ୍ତର୍ଜାତୀୟ ସଂସ୍ଥାର ଅଫର୍ କୁ ସେ ଗ୍ରହଣ କରିଛନ୍ତି । ସେଠାରେ ଯୋଗଦେବାକୁ ଖୁବ୍ ଶୀଘ୍ର ଓଡ଼ିଶା ଛାଡ଼ିବେ ବୋଲି ତାଙ୍କୁ ଅତି ପାଖରୁ ଦେଖିପାରୁଥିବା ଏକ ୱେବ୍ ପୋର୍ଟାଲ୍ ରେ ଖବର ପ୍ରକାଶ ପାଇଛି ।
ସେଥିରେ କୁହାଯାଇଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତି ବିଶ୍ୱସ୍ତ ଭି.କେ.ପାଣ୍ଡିଆନ୍ ଅନ୍ତର୍ଜାତୀୟ ସଂସ୍ଥାରେ ଯୋଗଦେବାକୁ ଖୁବ୍ ଶୀଘ୍ର ନବୀନ ନିବାସ ଛାଡ଼ିବେ । ତେବେ ଯେ ଯୋଗଦେବାକୁ ଯାଉଥିବା ସଂସ୍ଥାଟି କ’ଣ ସେ ସମ୍ପର୍କରେ ଉଲ୍ଲେଖ କରାଯାଇନାହିଁ । ଅନ୍ୟ କିଛି ସୂତ୍ରର ଖବର ଅନୁଯାୟୀ, ଲଣ୍ଡନରେ ସଂପୃକ୍ତ ସଂସ୍ଥାର ମୁଖ୍ୟାଳୟ ରହିଛି ଏବଂ ଶ୍ରୀ ପାଣ୍ଡିଆନ୍ ସେଠାରେ ଯୋଗଦେବେ । ଅବଶ୍ୟ ଏହା କେତେ ସତ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରୁନାହିଁ ।
ସୂଚନାଥାଉକି,୨୦୨୪ ନିର୍ବାଚନରେ ବିଜେଡ ବିପର୍ଯ୍ୟୟର ପ୍ରମୁଖ କାରଣ ହୋଇଥିବା ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । ନିର୍ବାଚନ ଫଳ ଆସିବା ପରଠୁ ସାଧାରଣରେ ସେ ଦୃଶ୍ୟମାନ ହେଉନାହାନ୍ତି କି ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ଯାଇନାହାନ୍ତି । ତେବେ ନବୀନ ନିବାସରେ ତାଙ୍କର କାଟତି ଅତୁଟ ରହିଛି ଏବଂ ପୂର୍ବଭଳି ବିଜେଡିକୁ ପରିଚାଳନା କରୁଥିବା ସମସ୍ତେ ଜାଣନ୍ତି । ଏବେ ବି ତାଙ୍କ ବିନା ବିଜେଡିରେ ପତ୍ର ହଲିପାରୁନାହିଁ । ନବୀନ ପଟ୍ଟନାୟକଙ୍କର ଭରସା ସେହି ପାଣ୍ଡିଆନ୍ ହୋଇ ରହିଛନ୍ତି । ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିଥିବା କଥାକୁ ନବୀନ ବାବୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ସମ୍ଭବତଃ ଏହାକୁ ଚପାଇବାକୁ ଯାଇ ନବୀନ ବାବୁ ନିର୍ବାଚନ ପରାଜୟର ସମୀକ୍ଷା କରିନାହାନ୍ତି । ପାଣ୍ଡିଆନଙ୍କୁ ବାଦ ଦେଇ ବିଜେଡିକୁ ଆଗକୁ ନେବାକୁ ଚାହିଁନାହାନ୍ତି ।
ଅନ୍ୟପକ୍ଷରେ ନବୀନଙ୍କର ଉତ୍ତରାଧିକାରୀ ଭାବେ ଅଣଓଡ଼ିଆ ପାଣ୍ଡିଆନଙ୍କୁ ଓଡ଼ିଶାବାସୀ ଗ୍ରହଣ କରିନାହାନ୍ତି କି ଆଉ କରିବେ ନାହିଁ ଏକଥା ନିଜେ କୁଆଡ଼େ ପାଣ୍ଡିଆନ୍ ବୁଝିଗଲେଣି । ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନରେ ବିଭୋର ହୋଇ ଆଇଏଏସ୍ ଚାକିରି ଛାଡ଼ିବା ଯେ ଏକ ମସ୍ତବଡ଼ ଭୁଲ୍ ପଦକ୍ଷେପ ତାହା ସେ ହୃଦୟଙ୍ଗମ କରୁଥିବା ତାଙ୍କ ପାଖଲୋକ ମାନେ କହୁଛନ୍ତି ।
ଏଭଳି ସ୍ଥିତିରେ ରାଜନୀତିରୁ ବୀତସ୍ପୃହ ହୋଇ ବିଦେଶରେ ଯାଇ ଚାକିରି କରିବାକୁ ପାଣ୍ଡିଆନ୍ ମନସ୍ଥିର କରିଛନ୍ତି । ସେ ଯେଉଁଠିକି ଯାଆନ୍ତୁ ନା କାହିଁକି ତାଙ୍କର ବସ୍ ନବୀନ ପଟ୍ଟନାୟକଙ୍କୁ କିନ୍ତୁ ଅବହେଳା କରିବେ ନାହିଁ ବୋଲି ସଂପୃକ୍ତ ପୋର୍ଟାଲ୍ ଲେଖିଛି ।