ଭୁବନେଶ୍ୱର: ରାଜ୍ୟରେ ବିଜେଡି ବିପର୍ଯ୍ୟୟ ପଛର ଖଳନାୟକ ଭି.କେ. ପାଣ୍ଡିଆନଙ୍କର ଯଥା ପୂର୍ବଂ ତଥା ପରଂ ଅବତାର ତାଙ୍କୁ ଜନମାନସରେ ଆହୁରି ନିନ୍ଦିତ କରିଛି । ନବୀନ ପଟ୍ଟନାୟକଙ୍କୁ ପରାଜୟର ସ୍ୱାଦ ଚଖାଇଥିବା ଏହି ଅଣଓଡ଼ିଆ ପୂର୍ବତନ ବ୍ୟୁରୋକ୍ରାଟ୍ ବିଜେଡି ପରାଜୟର ଅନୁତାପରେ ନିଜକୁ ସୁଧାରି ଦେବେ ବୋଲି ଆଶା କରାଯାଉଥିଲା । ମାତ୍ର ତାଙ୍କଠାରେ ସାମାନ୍ୟ ବି ସୁଧାର ଦେଖିବାକୁ ମିଳିନାହିଁ । ନିଜର ଅହଂକାର ଓ ଉଚ୍ଚାକାଂକ୍ଷାକୁ ସେ ଛାଡ଼ିପାରିନାହାନ୍ତି । ଯଦି ଛାଡ଼ିଥାନ୍ତେ, ତେବେ ଗୁରୁ ନବୀନ ପଟ୍ଟନାୟକଙ୍କ ପୂର୍ବଗୌରବ ଫେରାଇ ଆଣିବାକୁ ଯତ୍ନବାନ ହୋଇଥାନ୍ତେ । ଗୁରୁଙ୍କର ତାଙ୍କ ପ୍ରତି ଅନ୍ଧ ଭଲ ପାଇବାର ତାହା ଗୁରୁଦକ୍ଷିଣା ହୋଇଥାନ୍ତା । ମାତ୍ର ତାହା ନ କରି ବିଜେଡିକୁ ନିଜ ହାତମୁଠାରେ ରଖିବା କୌଶଳରୁ ସେ ହଟିନାହାନ୍ତି । ଓଡ଼ିଶାବାସୀ ତାଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିସାରିଥିଲେ ମଧ୍ୟ ନବୀନ ବାବୁଙ୍କର ଉତ୍ତରାଧିକାରୀ ହେବାର ନିଶା ତାଙ୍କୁ ଦିନକୁ ଦିନ ଅଧିକ ଲୋକହସା କରୁଛି ।
ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ପାଗ ଭିଡ଼ି ବସିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ପାଇଁ ନିର୍ବାଚନ ଫଳାଫଳ ଅପ୍ରତ୍ୟାଶିତ ଥିଲା । ସେ ମୁଖ୍ୟମନ୍ତ୍ରୀ ଗାଦି ହରାଇବେ ବୋଲି କେବେ ସ୍ୱପ୍ନରେ ଭାବି ନ ଥିଲେ । ମାତ୍ର ତାହା ଘଟିଲା । ତାଙ୍କର ଅର୍ଦ୍ଧପ୍ରାଣ କୁହାଯାଉଥିବା ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିଥିବା ସମସ୍ତଙ୍କର ମର୍ମେ ମର୍ମେ ଅନୁଭବ ହୋଇଥିଲେ ମଧ୍ୟ ନବୀନ ବାବୁ ଏ ପର୍ଯ୍ୟନ୍ତ ତାହା ମାନିବାକୁ ନାରାଜ । ବରଂ ପାଣ୍ଡିଆନଙ୍କ ବିରୋଧରେ ଜନମତକୁ ପ୍ରଶମିତ କରିବା ପାଇଁ ସେ ତାଙ୍କର ପିଠି ଥାପୁଡ଼େଇ ସେମିତି ମୁଣ୍ଡରେ ବସାଇଛନ୍ତି । ନବୀନ ବାବୁଙ୍କର ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥିବା ବେଳେ ପାଣ୍ଡିଆନଙ୍କ ପାଇଁ ତାଙ୍କର କ’ଣ ବାଧ୍ୟବାଧକତା ଅଛି ତାହା ବୁଝିପାରିନାହାନ୍ତି ।
ଏପଟେ ନବୀନଙ୍କ ଉତ୍ତରାଧିକାରୀ ହେବାର ସ୍ୱପ୍ନ ଦେଖିଥିବା ପାଣ୍ଡିଆନଙ୍କର କାର୍ଯ୍ୟକଳାପ ମଧ୍ୟ ସମସ୍ତଙ୍କୁ ବିସ୍ମିତ କରୁଛି । ଓଡିଶାବାସୀଙ୍କ ପାଖରେ ତାଙ୍କର ଯେ ଗ୍ରହଣୀୟତା ନାହିଁ ଏହା ଗତ ନିର୍ବାଚନରେ ସ୍ପଷ୍ଟ ହୋଇସାରିଛି । ତଥାପି ପାଣ୍ଡିଆନ୍ କାହିଁକି କ୍ଷମତା ମୋହ ଛାଡ଼ିପାରୁନାହାନ୍ତି ତାହା ନିଜେ ଜାଣିଥିବେ । କସ୍ମିନ୍ କାଳେ ପାଣ୍ଡିଆନ୍ ଓଡ଼ିଶାରେ ଆଉ ରାଜନୀତି କରି ସଫଳ ହେବେ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ଦୃଢ଼ତାର ସହ କହିଛନ୍ତି । ପାଣ୍ଡିଆନ୍ ଆଜି ନୁହେଁ କି କେବେ ନୁହେଁ ବୋଲି ସେମାନଙ୍କର ମତ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ସରକାରୀ ମୁଖା ପିନ୍ଧି ସେ ନବୀନ ନିବାସରୁ ଉଭୟ ଦଳ ଓ ସରକାରକୁ ଚଳାଉଥିଲେ ମଧ୍ୟ ଆଉ ତାହା ସମ୍ଭବ ନୁହେଁ । ନବୀନ ବାବୁ ତାଙ୍କୁ ମୁଣ୍ଡରେ ବସାଇ ବିଜେଡି ପରିବାର ଉପରେ ତାଙ୍କର ନେତୃତ୍ୱକୁ ଥାପିବାର ସମୟ ଚାଲିଯାଇଛି । ଲୋକଙ୍କ ଆଗରେ ମୁହଁ ଦେଖାଇ ପାରୁ ନ ଥିବା ପାଣ୍ଡିଆନ୍ ନବୀନ ନିବାସରୁ ଲୁଚିଛପି ବିଜୁ ଜନତା ଦଳକୁ ନିୟନ୍ତ୍ରଣ କରିବାକୁ ପିଲାଳିଆମୀ ବୁଦ୍ଧି କହି ଅନେକ କଟାକ୍ଷ କରିଛନ୍ତି ।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ ନିବାସର ଗୋପନ କୋଠରୀରେ ବସି ପାଣ୍ଡିଆନ ତାଙ୍କ ଦରବାର ଚଳାଉଥିଲେ ମଧ୍ୟ କିଛି ବୋଲକରା ନେତା ଏବଂ ଶଙ୍ଖଭବନର ଦରମାପ୍ରାପ୍ତ ମୁଖପାତ୍ରଙ୍କୁ ଛାଡ଼ିଦେଲେ କେହି ତାଙ୍କୁ ଆଡ଼ ଆଖିରେ ଚାହିଁବାକୁ ରାଜି ହେଉନାହାନ୍ତି । ନବୀନ ନିବାସରୁ ଡାକରା ପାଇଲେ କେବଳ ନବୀନଙ୍କୁ ସମ୍ମାନ ଜଣାଇ ସେଠାକୁ ଯାହା ଆସୁଛନ୍ତି ।
ମଜ୍ଜାର କଥା ହେଉଛି ଯେ ପାଣ୍ଡିଆନଙ୍କ ନିର୍ଦ୍ଦେଶକୁ ଦଳୀୟ ନେତାମାନେ କାଳେ ଖାତିର କରିବେ ନାହିଁ, ସେଥିପାଇଁ ନୂଆ କୌଶଳ ଖଟାଯାଇଛି । ନେତାମାନଙ୍କ ସହ କଥା ହେବା ପାଇଁ ନବୀନ ବାବୁଙ୍କ ହାତରେ ଫୋନ୍ ଧରାଇ ଦିଆଯାଉଛି । ତାଙ୍କ ଫୋନ୍ ଡାକରାରେ ନେତାମାନେ ନବୀନ ନିବାସ ଆସିବା ପରେ ପାଣ୍ଡିଆନ୍ ହିଁ କଥା ହେଉଛନ୍ତି । ନିର୍ବାଚନ ଫଳାଫଳ ଆସିବାର ମାସେ ଦୁଇ ମାସ ପର୍ଯ୍ୟନ୍ତ ନେତାମାନଙ୍କ ସହ ନବୀନ ବାବୁ ଖୋଲାଖୋଲି ମିଶୁଥିଲେ । ସେତେବେଳେ ପାଣ୍ଡିଆନ୍ ଅନ୍ତର୍ଦ୍ଧାନ୍ ରହିଥିଲେ । ଏବେ ନବୀନ ନିବାସରେ ପାଣ୍ଡିଆନ ଦର୍ଶନ ଫେରି ଆସିଥିବା ବେଳେ ନବୀନ କିନ୍ତୁ ଅନ୍ତର୍ଦ୍ଧାନ । ନେତାମାନେ ତାଙ୍କୁ କ୍ୱଚିତ୍ ଭେଟିବାର ସୁଯୋଗ ପାଉଛନ୍ତି ।
ପାଣ୍ଡିଆନଙ୍କ ପ୍ରଭାବ ଥିଲା ଯାଏଁ ବିଜେଡି ଆଉ ପୂର୍ବସ୍ଥିତିକୁ ଫେରି ଆସିବାର ସମ୍ଭାବନା ନାହିଁ ବୋଲି ଦଳର ବରିଷ୍ଠ ନେତାମାନେ ଖୋଲା ଆଲୋଚନା କରୁଛନ୍ତି । ଯେଉଁ କାରଣ ପାଇଁ ବିଜେଡି ନିର୍ବାଚନ ହାରିଲା ତାହାର କାରଣ ଖୋଜି କୋର୍ସ କରେକ୍ସନ୍ କରିବା ବଦଳରେ ପୁଣି ସେହି ପାଣ୍ଡିଆନଙ୍କ ଭରସାରେ ଦଳକୁ ଛାଡ଼ିବା ବିଜେଡିକୁ ନିଶ୍ଚିନ୍ନ କରିଦେବ ବୋଲି ସେମାନେ ଆଶଙ୍କା କରୁଛନ୍ତି ।
ସୂଚନାଯୋଗ୍ୟ, ତିନି ଦିନ ତଳେ ଭୁବନେଶ୍ୱରରେ ଏକ ଟିଭି ଚାନେଲ୍ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କର ଏକ ବୟାନ ବିଜେଡି ରାଜନୀତିରେ ହଇଚଇ ସୃଷ୍ଟି କରିଛି । ‘୫-ଟି ପାଇଁ ଆମେ ମଲୁ’ ବୋଲି ସେ ସ୍ୱୀକାର କରିଥିଲେ । ଅରୁଣ ଯେ ନୂଆ କଥା କହିଛନ୍ତି ତାହା ନୁହେଁ । ବିଜେଡି ନିର୍ବାଚନୀ ବିପର୍ଯ୍ୟୟର ବଡ଼ କାରଣ ‘୫-ଟି’ ବୋଲି ସମସ୍ତେ ଜାଣିଛନ୍ତି । ଆଉ ବିଜେଡି ସରକାରରେ ‘୫-ଟି’ ବୋଲେ ପାଣ୍ଡିଆନଙ୍କୁ ହିଁ ବୁଝାଉଥିଲା । ମାତ୍ର ଆଗଧାଡ଼ିର ନେତାମାନେ ବିଜେଡି ବିପର୍ଯ୍ୟୟର ଏହି କାରଣକୁ ଖୋଲାଖୋଲି କହିବାକୁ ଡରୁଥିଲେ ।
ଅରୁଣ ଖୋଲାମଞ୍ଚରେ ଏହା ସ୍ୱୀକାର କରିବା ପରେ ଅଧିକାଂଶ ନେତା ତାଙ୍କୁ ଭିତିରିଆ ସମର୍ଥନ କରିଥିବାରୁ ଆଗକୁ ଦଳ ପାଇଁ ଏହା ଭୀଷଣ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଏବେ ସୁଧାରିବାର ସମୟ ଅଛି । ନଚେତ୍ ସରକାର ଗଡ଼ିଲା ଭଳି ଦଳ ମଧ୍ୟ ଧ୍ୱଂସ ପାଇଯିବ ବୋଲି ଅରୁଣଙ୍କ ମନ୍ତବ୍ୟରୁ ପରୋକ୍ଷ ବାର୍ତ୍ତା ଆସିଥିବା ରାଜନୈତିକ ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଛି ।
ତେବେ କେବଳ ପାଣ୍ଡିଆନ୍ ନୁହଁନ୍ତି, ବିଜେଡି ବିପର୍ଯ୍ୟୟର ଅନ୍ୟତମ ଖଳନାୟକ ପ୍ରଣବ ପ୍ରକାଶ(ବବି) ଦାସ ଦଳୀୟ ବ୍ୟାପାରରୁ ଦୂରରେ ରଖିଥିବା ଦେଖେଇ ହେଉଥିଲେ ମଧ୍ୟ ତାହା କୁଆଡ଼େ ଜମାରୁ ସତ ନୁହେଁ । ନେତା ଓ କର୍ମୀମାନଙ୍କୁ ଭକୁଆ ବନେଇବାକୁ ଏହା ନାଟକ ବୋଲି କୁହାଯାଉଛି । ପାଣ୍ଡିଆନଙ୍କ ସହ ସେ ପୂର୍ବଭଳି ମିଶିକି ଅଛନ୍ତି ଏବଂ ପୁରୁଣା ଷ୍ଟ୍ରାଟେଜିରେ ଉଭୟ କାମ କରୁଛନ୍ତି ।
ସୁତରାଂ ଲୋକଙ୍କ ଦ୍ୱାରା ଲଜ୍ଜାଜନକ ଭାବେ ପ୍ରତ୍ୟାଖ୍ୟାତ ହୋଇଥିଲେ ମଧ୍ୟ ଉଭୟଙ୍କର ଅହଂକାରପଣ ନ ଯିବା ଏବଂ ବନ୍ଧନ ଅତୁଟ ରହିବା ପଛର ରହସ୍ୟକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି ।